Categories: ଖେଳ

ଡେଭିଡ୍‌ ହସି କେକେଆର ମୁଖ୍ୟ ମେଣ୍ଟର

କୋଲକାତା,୫।୧୦: ଦୁଇ ଥର ଆଇପିଏଲ ଚାମ୍ପିୟନ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଶନିବାର ଅଷ୍ଟ୍ରେଲିଆର ପୂର୍ବତନ ବ୍ୟାଟ୍ସମ୍ୟାନ ଡେଭିଡ୍‌ ହସିଙ୍କୁ ମୁଖ୍ୟ ମେଣ୍ଟର ଭାବେ ନିଯୁକ୍ତ କରିଛି। ପୂର୍ବତନ ନ୍ୟୁଜିଲାଣ୍ଡ ପେସର କାଏଲ ମିଲ୍ସଙ୍କୁ ବୋଲିଂ କୋଚ୍‌ ପଦରେ ନିଯୁକ୍ତ କରାଯାଇଛି। ଉଭୟ ହସି ଓ ମିଲ୍ସ ପୂର୍ବତନ ନ୍ୟୁଜିଲାଣ୍ଡ ଅଧିନାୟକ ବେଣ୍ଡନ ମ୍ୟାକ୍‌କୁଲମଙ୍କ ନେତୃତ୍ୱରେ କାର୍ଯ୍ୟ କରିବେ। ମ୍ୟାକ୍‌କୁଲମଙ୍କୁ ୨୦୨୦ ଆଇପିଏଲ ଲାଗି କେକେଆର ଦଳର ମୁଖ୍ୟ କୋଚ୍‌ ଦାୟିତ୍ୱ ଦିଆଯାଇଛି। ‘କେକେଆର ପରିବାରକୁ ଡେଭିଡ ହସି ଓ କାଏଲ ମିଲ୍ସଙ୍କୁ ସ୍ବାଗତ କରୁଛୁ। ପେସାଦାର କ୍ରିକେଟରେ ସେମାନଙ୍କ ଅଭିଜ୍ଞତା ଆମ ଯୁବ ଖେଳାଳିଙ୍କ ଲାଗି ସହାୟକ ହେବ’ ବୋଲି କେକେଆର ସିଇଓ ଓ ମ୍ୟାନେଜିଂ ଡାଇରେକ୍ଟର ଭେଙ୍କି ମ୍ୟାଇସୋର କହିଛନ୍ତି। ୪୨ ବର୍ଷୀୟ ହସି ଆଇପିଏଲ ସମେତ ବିଭିନ୍ନ ଦେଶର ଲିଗ୍‌ରେ ମୋଟ ୩୦୦ ମ୍ୟାଚ୍‌ ଖେଳିଛନ୍ତି। ସେ ୨୦୦୮ରୁ ୨୦୧୦ ପର୍ଯ୍ୟନ୍ତ କେକେଆର ପାଇଁ ଖେଳିଥିଲେ। ତାଙ୍କ ଭାଇ ମାଇକ୍‌ ହସି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଦଳର ବ୍ୟାଟିଂ କୋଚ୍‌ ଦାୟିତ୍ୱରେ ରହିଛନ୍ତି। ଅନ୍ୟପକ୍ଷରେ ୪୦ ବର୍ଷୀୟ ମିଲ୍ସ ୨୦୧୫ରେ ଖେଳାଳି ଭାବେ କ୍ୟାରିୟର ଶେଷ କରିଥିଲେ। ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ସେ ନ୍ୟୁଜିଲାଣ୍ଡ ପାଇଁ ସର୍ବାଧିକ ୨୪୦ ଉଇକେଟ ନେଇଥିବା ବୋଲର।

Share