Categories: ଖେଳ

ଡେଭିସ୍‌ କପ୍‌ ଟେନିସ: ପାକିସ୍ତାନ ଦଳରେ ଜୁନିୟର ଖେଳାଳି

ନୂଆଦିଲ୍ଲୀ, ୨୧।୧୧(ପି.ଟି.)- ଭାରତ-ପାକିସ୍ତାନ ଡେଭିସ୍‌ କପ୍‌ ଟେନିସ କାଜାଖସ୍ତାନ ନୁର-ସୁଲତାନଠାରେ ଚଳିତମାସ ୨୯ ଓ ୩୦ ତାରିଖରେ ଅନୁଷ୍ଠିତ ହେବ। ଅନ୍ତର୍ଜାତୀୟ ଟେନିସ ଫେଡେରେଶନ(ଆଇଟିଏଫ) ଭାରତ-ପାକ୍‌ ମୁକାବିଲାକୁ ଇସଲାମାବାଦରୁ ନିରପେକ୍ଷ ଭେନ୍ୟୁକୁ ସ୍ଥାନାନ୍ତର କରିଥିବାରୁ ଏହାକୁ ବିରୋଧକରି ଦୁଇ ସିନିୟର ଖେଳାଳି ଐସମ-ଉଲ୍‌ ହକ୍‌ କୁରେଶି ଓ ଆକ୍ୱିଲ ଖାଁ ଓହରି ଯାଇଛନ୍ତି। ଫଳରେ ସେମାନଙ୍କ ସ୍ଥାନରେ ପାକିସ୍ତାନ ଦଳରେ ୨ ଜଣ ୧୭ ବର୍ଷରୁ କମ୍‌ ଯୁବ ଖେଳାଳିଙ୍କୁ ସାମିଲ କରାଯାଇଛି। ପାକିସ୍ତାନ ଟେନିସ ଫେଡେରେଶନ(ପିଟିଏଫ) ପକ୍ଷରୁ ବୁଧବାର ଘୋଷିତ ଦଳରେ ଟିନ୍‌ଏଜର ହୁଜାଇଫା ଅବଦୁଲ ରହମନ ଓ ସୋଏବ ଖାଁ ସ୍ଥାନ ପାଇଛନ୍ତି। ଆଇଟିଏଫ ର଼୍ୟାଙ୍କିଙ୍ଗ ତାଲିକାରେ ଏ ଦୁହେଁ ଯଥାକ୍ରମେ ୪୪୬ ଓ ୧୦୦୪ତମ ସ୍ଥାନରେ ରହିଛନ୍ତି। ଦଳରେ ସ୍ଥାନ ପାଇଥିବା ଅମଜାଦଙ୍କୁ ଛାଡ଼ିଦେଲେ ୟୁସୁଫ ଖାଁ ଓ ଅହମଦ କାମିଲ ମଧ୍ୟ ଟିନ୍‌ଏଜର। ”ସିନିୟର ଖେଳାଳିମାନେ ଉପଲବ୍ଧ ନ ହେବାରୁ ଆମେ ଜୁନିୟର ଡେଭିସ୍‌ କପ୍‌ ଦଳ ପଠାଇବାକୁ ନିଷ୍ପତ୍ତି ନେଇଛୁ। ଖେଳାଳିମାନେ ୧୬-୧୭ ବର୍ଷର ହୋଇଥିବାରୁ ଭାରତ ବିପକ୍ଷରେ ଖେଳି ଅଭିଜ୍ଞତା ହାସଲ କରିବେ“ ବୋଲି ପିଟିଏଫ ସଭାପତି ସଲିମ ସୈଫୁଲ୍ଲା ଖାଁ ପ୍ରକାଶ କରିଛନ୍ତି। ”ଭାରତ ମୁକାବିଲା ଜିତିବାକୁ ଚାହୁଁଛି, ଏଥର ସହଜରେ ବିଜୟ ହାସଲ କରିପାରିବ। ପ୍ରତିଦିନ ଶହଶହ ଭାରତୀୟ ପାକିସ୍ତାନ ଆସୁଛନ୍ତି। ଇସଲାମାବାଦରେ ଥିବା ହୋଟେଲ ଗୁଡ଼ିକରେ ଅନେକ ଭାରତୀୟ ରହୁଛନ୍ତି। ମାତ୍ର ୬ ଜଣ ଭାରତୀୟ ଖେଳାଳି ଆସିପାରୁ ନାହାନ୍ତି। ଏହା ଦୁଃଖଦାୟକ“ ବୋଲି ସଲିମ ପ୍ରକାଶ କରିଛନ୍ତି।

Share