Categories: ଖେଳ

ଡେଭିସ୍‌ କପ୍‌: ପାକିସ୍ତାନକୁ ୪-୦ରେ ହରାଇଲା ଭାରତ

ନୁର- ସୁଲତାନ, ୦୧।୧୧(ପି.ଟି.)- କାଜାଖସ୍ଥାନ ରାଜଧାନୀ ନୁର- ସୁଲତାନରେ ଅନୁଷ୍ଠିତ ଡେଭିସ୍‌ କପ୍‌ ମ୍ୟାଚ୍‌ରେ ଶନିବାର ଭାରତ ୪-୦ରେ ପାରମ୍ଭରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଓ୍ବାଲର୍‌ଡ ଗ୍ରୁପ୍‌ କ୍ୱାଲିଫାୟର୍ସ ଖେଳିବା ପାଇଁ ଯୋଗ୍ୟତା ହାସଲ କରିଛି। ଅର୍ଥାତ୍‌ ୨୦୨୦ କ୍ୱାଲିଫାୟର୍ସରେ ଭାରତ ସ୍ଥାନ ହାସଲ କରିଛି। ଅଭିଜ୍ଞ ଟେନିସ ତାରକା ଲିଆଣ୍ଡର ପେସ୍‌ ନିଜର ଡେଭିସ ରେକର୍ଡକୁ ଉନ୍ନତି ଆଣି ଆହୁରି ଦୃଢ଼ କରିଛନ୍ତି।
ଶନିବାର ଡବଲ୍ସ ରବରରେ ପେସ୍‌ ଓ ପଦାର୍ପଣ କରିଥିବା ଯୁବ ଭାରତୀୟ ଖେଳାଳି ଜୀବନ ନେଦୁନଚେଝିୟାନ ପ୍ରତିପକ୍ଷ ପାକିସ୍ତାନ ଯୋଡି ମହମ୍ମଦ ସୋଏବ ଓ ହୁଫାଇଜା ଅବଦୁଲ ରେହମାନଙ୍କୁ ପରାସ୍ତ କରିଥିଲେ। ପେସ୍‌ ଓ ଜୀବନ ମାତ୍ର ୫୩ ମିନିଟ୍‌ରେ ୬-୧, ୬-୩ ସେଟରେ ଏହି ସ୍ବଳ୍ପ ବୟସ୍କ ପାକିସ୍ତାନ ଯୋଡିକୁ ପରାସ୍ତ କରି ଭାରତକୁ ୪-୦ରେ ବିଜୟୀ କରାଇଥିଲେ। ଏଥିସହିତ ପେସ୍‌ ଡେଭିସ୍‌ କପ୍‌ରେ ୪୪ତମ ଡବଲ୍ସ ବିଜୟ ହାସଲ କରି ପୂର୍ବର ରେକର୍ଡକୁ ଆହୁରି ଦୃଢ଼ କରିଛନ୍ତି। ଗତବର୍ଷ ପେସ୍‌ ଚାଇନା ବିପକ୍ଷରେ କ୍ୟାରିୟରର ୪୩ତମ ଡବଲ୍ସ ମ୍ୟାଚ ଜିତି ବିଶ୍ୱ ରେକର୍ଡ କରିଥିଲେ। ଏହି କ୍ରମରେ ସେ ଇଟାଲୀର କିମ୍ବଦନ୍ତୀ ଖେଳାଳି ନିକୋଲା ପିଏଟ୍ରାଙ୍ଗେଲିଙ୍କୁ ପଛରେ ପକାଇଥିଲେ। ୪୬ ବର୍ଷୀୟ ପେସ୍‌ ୫୬ଟି ଟାଇ ଖେଳି ୪୩ତମ ବିଜୟ ହାସଲ କରିଥିଲେ। ପିଏଟ୍ରାଙ୍ଗେଲି କିନ୍ତୁ ୬୬ଟି ଯାଇ ଖେଳି ୪୨ତମ ଡବଲ୍ସ ବିଜୟ ହାସଲ କରିଥିଲେ।
ସେହିପରି ରିଭର୍ସ ସିଙ୍ଗଲ୍ସରେ ସୁମିତ ନାଗାଲ ୬-୧, ୬-୦ ସେଟରେ ଅତି ସହଜରେ ୟୁସାଫ୍‌ ଖଲିଲଙ୍କୁ ପରାସ୍ତ କରି କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛନ୍ତି। ଏହାପରେ ଉଭୟ ଦଳ ପଞ୍ଚମ ରବର ନ ଖେଳିବାକୁ ନିଷ୍ପତ୍ତି ନେଇଥିଲେ। ମୋଟାମୋଟି ଉପରେ ଭାରତ ଅତି ସହଜରେ ପାକିସ୍ତାନକୁ ଡେଭିସ୍‌ କପ୍‌ରେ ପରାସ୍ତ କରିଛି। ୨୦୧୪ ଫେବୃୟାରୀ ପରେ ଭାରତ ପ୍ରଥମଥର ପାଇଁ ଟାଇର ସବୁ ମ୍ୟାଚ୍‌ରେ ବିଜୟୀ ହୋଇଛି। ଏହି ବର୍ଷ ଭାରତ ଇନ୍ଦୋରରେ ଚାଇନିଜ୍‌ ତାଇପେକୁ ୫-୦ରେ ହରାଇ ସବୁ ମ୍ୟାଚ୍‌ ଜିତିଥିଲା। ଭାରତ ଏବେ କ୍ୱାଲିଫାୟର୍ସ ବିଶ୍ୱର ୨ ନମ୍ବର ଦଳ କ୍ରୋଏସିଆକୁ ଭେଟବ। ଏହି ଟାଇ ଆସନ୍ତା ମାର୍ଚ୍ଚ ୬ ଓ ୭ ତାରିଖରେ ଖେଳାଯିବ। କ୍ୱାଲିଫାୟର୍ସରେ ୨୪ଟି ଦେଶ ଅଂଶଗ୍ରହଣ କରିବେ। ଏଥିରୁ ୧୨ଟି ଦେଶ ଡେଭିସ୍‌ କପ୍‌ ଫାଇନାଲ୍ସ ଖେଳିବା ପାଇଁ ଯୋଗ୍ୟତା ହାସଲ କରିବେ। ଏଥିରେ ପରାସ୍ତ ହେବାକୁ ଥିବା ୧୨ଟି ଦେଶ ଓ୍ବାଲ୍ହ ଗ୍ରୁପ୍‌ ୧ ଟାଇରେ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବେ। ଏହା ୨୦୨୦ ସେପ୍ଟେମ୍ବରରେ ଆୟୋଜନ ହେବ। ଅନ୍ୟପଟେ ବିଜୟୀ ଦଳଗୁଡିକ କ୍ୱାଲିଫାଏ କରିସାରିଥିବା ଅନ୍ୟ ୬ ଦେଶଗୁଡିକ ସହ ଫାଇନାଲ୍ସରେ ସାମିଲ ହେବ।

Share