Categories: ଖେଳ

ଡେଭିସ୍‌ କପ୍‌: ପାକିସ୍ତାନ ବିପକ୍ଷ ମ୍ୟାଚ ପାଇଁ ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ, ୫ା୮(ପି.ଟି.)-ପାକିସ୍ତାନ ବିପକ୍ଷ ଡେଭିସ କପ୍‌ ମ୍ୟାଚ ପାଇଁ ସୋମବାର ପ୍ରଜନେଶ ଗୁଣେଶ୍ୱରନଙ୍କ ନେତୃତ୍ୱରେ ଭାରତୀୟ ଟେନିସ ଦଳ ଘୋଷଣା କରାଯାଇଛି। ସୁମିତ ନାଗପାଲଙ୍କ ବ୍ୟତୀତ ଅନ୍ୟ ସମସ୍ତ ଟପ୍‌ ଖେଳାଳି ଉପଲବ୍ଧ ଥିବା ସର୍ବଭାରତୀୟ ଟେନିସ ଆସୋସିଏଶନ (ଏଆଇଏଟିଏ) ସିଲେକ୍ସନ କମିଟି ଚେୟାରମ୍ୟାନ ରୋହିତ ରାଜପାଲ ପ୍ରକାଶ କରିଛନ୍ତି। ଗ୍ରାସ୍‌କୋର୍ଟରେ ହେବାକୁଥିବା ଏହି ମୁକାବିଲାରେ ଗୁଣେଶ୍ୱରନ ଏବଂ ରାମକୁମାର ରମାନାଥନ ସିଙ୍ଗଲ୍ସ ଚ୍ୟାଲେଞ୍ଜ ସମ୍ଭାଳବେ। ରୋହନ ବୋପାନ୍ନା ଏବଂ ଡିଭିଜ ଶରଣ ଡବଲ୍ସ ଯୋଡ଼ି ଭାବେ ଖେଳିବେ। ମ୍ୟାଚ ସେପ୍ଟେମ୍ବର ୧୪-୧୫ରେ ଇସ୍‌ଲାମାବାଦ୍‌ଠାରେ ଖେଳାଯିବ। ଆହତଜନିତ ସମସ୍ୟା ଯୋଗୁ ନାଗାଲ ଉପଲବ୍ଧ ହେଉ ନ ଥିବାରୁ ୫ଜଣିଆ ସିଲେକ୍ସନ କମିଟି ଦଳରେ ସାକେତ ମାଇନେନିଙ୍କୁ ରଖିଛନ୍ତି, ଯଏକି ର଼୍ୟାଙ୍କିଙ୍ଗ ତାଲିକାରେ ପରବର୍ତ୍ତୀ ଶ୍ରେଷ୍ଠ ଖେଳାଳି। ସେ ଉଭୟ ସିଙ୍ଗଲ୍ସ ଏବଂ ଡବଲ୍ସ ଖେଳିପାରିବେ। ଯୁବ ପ୍ରତିଭା ଶଶି କୁମାର ମୁକୁନ୍ଦଙ୍କୁ ରିଜର୍ଭ ଖେଳାଳି ଭାବେ ନିଆଯାଇଛି। ବୈଠକରେ ରାଜପାଲ ଓ ବଳରାମ ସିଂ ଉପସ୍ଥିତ ଥିବାବେଳେ ଜିଶାନ ଅଲୀ, ନନ୍ଦନ ବଳ ଓ ଅଙ୍କିତା ଭାମ୍ବ୍ରୀ ଟେଲିକନଫରେନ୍ସ ଜରିଆରେ ଦଳ ଚୟନ ପ୍ରକ୍ରିୟାରେ ଭାଗ ନେଇଥିଲେ। ପାକିସ୍ତାନ ବିପକ୍ଷରେ ଭାରତ ୬ଥର ଡେଭିସ କପ୍‌ ମ୍ୟାଚ ଖେଲିଛି। ଭାରତ ସମସ୍ତ ମ୍ୟାଚରେ ବିଜୟ ହାସଲ କରିଛି। ପାକିସ୍ତାନର ଜଣେ ହେଲେ ସିଙ୍ଗଲ୍ସ ଖେଳାଳି ଏଟିପି ର଼୍ୟାଙ୍କିଙ୍ଗ ତାଲିକାରେ ନାହାନ୍ତି। ଭାରତର ପ୍ରଜନେଶ ବିଶ୍ୱ ର଼୍ୟାଙ୍କିଙ୍ଗରେ ୯୦ ତମ ସ୍ଥାନରେ ରହିଥିବା ବେଳେ ରାମକୁମାର ୧୮୪ ଏବଂ ମାଇନେନି ୨୭୧ତମ ସ୍ଥାନରେ ରହିଛନ୍ତି। ପାକିସ୍ତାନର ଆଇଜାମ ଉଲ୍‌ ହକ୍‌ କୁରେଶି ହେଉଛନ୍ତି ବିଶ୍ୱର ୫୫ ନମ୍ବର ମାନ୍ୟତାପ୍ରାପ୍ତ ଡବଲ୍ସ ଖେଳାଳି। ବୋପାନ୍ନା ଓ ଆଇଜାମ ଏକ ଡବଲ୍ସ ଯୋଡ଼ି ହୋଇ ଖେଳୁଥିଲେ। ଉଭୟେ ଗଣମାଧ୍ୟମରେ ଇଣ୍ଡୋ-ପାକ୍‌ ଏକ୍ସପ୍ରେସ୍‌ ଭାବେ ପରିଚିତ ଥିଲେ। ଏହି ଯୋଡ଼ି ୨୦୧୦ରେ ୟୁଏସ ଓପନ୍‌ ଫାଇନାଲରେ ପ୍ରବେଶ କରିଥିଲେ। କିମ୍ବଦନ୍ତୀ ବ୍ରାଏନ୍ସ ଯୋଡ଼ିଙ୍କଠାରୁ ହାରି ରନର୍ସଅପ୍‌ ହୋଇଥିଲେ।

ଏସିଆ/ଓସିଆନା ଗ୍ରୁପ୍‌-୧ ମୁକାବିଲାର ବିଜେତା ଆସନ୍ତାବର୍ଷ ଖେଳାଯିବାକୁଥିବା ଓ୍ବାଲର୍‌ଡ ଗ୍ରୁପ୍‌ କ୍ୱାଲିଫାୟର୍ସକୁ ଯୋଗ୍ୟତା ଅର୍ଜନ କରିବ।
ଭାରତୀୟ ଦଳ: ପ୍ରଜନେଶ ଗୁଶେଶ୍ୱରନ, ରାମକୁମାର ରମାନାଥନ, ସାକେତ ମାଇନେନି, ରୋହନ ବୋପାନ୍ନା ଓଡିଭିଜ ଶରନ। ଅଧିନାୟକ: ମହେଶ ଭୂପତି, କୋଚ୍‌: ଜିଶାନ ଅଲି।

Share