Categories: ଖେଳ

ଡେଭିସ୍‌ କପ୍‌ ମ୍ୟାଚ ନଭେମ୍ବରକୁ ଘୁଞ୍ଚିଲା

ନୂଆଦିଲ୍ଲୀ, ୨୩|୮ (ପି.ଟି.)- ପାକିସ୍ତାନ ବିପକ୍ଷ ଭାରତର ଡେଭିସ୍‌ କପ୍‌ ମ୍ୟାଚକୁ ନଭେମ୍ବରକୁ ଘୁଞ୍ଚାଇ ଦିଆଯାଇଛି। ପାକିସ୍ତାନର ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ ପରେ ଇଣ୍ଟରନ୍ୟାଶନାଲ ଟେନିସ ଫେଡେରେଶନ (ଆଇଟିଏଫ୍‌) ଗୁରୁବାର ଏହା ଘୋଷଣା କରିଛି। ଏହି ମୁକାବିଲା ସେପ୍ଟେମ୍ବର ୧୪-୧୫ରେ ଇସ୍‌ଲାମାବାଦରେ ଖେଳାଯିବାର କାର୍ଯ୍ୟକ୍ରମ ଥିଲା। ‘ବିଶେଷ ପରିସ୍ଥିତି’ ଭିତ୍ତିରେ ଏହି ନିଷ୍ପତ୍ତି ନିଆଯାଇଛି। କିନ୍ତୁ ଖେଳର ଭେନ୍ୟୁରେ ପରିବର୍ତ୍ତନ କରାଯାଇ ନାହିଁ ବୋଲି ଆଇଟିଏଫ୍‌ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସେପ୍ଟେମ୍ବର ୯ରେ ଆଇଟିଏଫ୍‌ ସୁରକ୍ଷା କମିଟି ବୈଠକ ବସିବ। ସେଦିନ ମ୍ୟାଚର ତାରିଖ ନିରୂପଣ କରାଯିବ। କିନ୍ତୁ ଏହି ସମୟ ମଧ୍ୟରେ ଆଇଟିଏଫ୍‌ ଏବଂ ଡେଭିସ୍‌ କପ୍‌ କମିଟି ପାକିସ୍ତାନ ସୁରକ୍ଷା ବ୍ୟବସ୍ଥା ଉପରେ ନିଘା ରଖିଥିବ। ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀର ଉପରୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରତ୍ୟାହାର ପରେ ଭାରତ ସହିତ ପାକିସ୍ତାନର କୂଟନୈତିକ ସମ୍ପର୍କରେ ଅବନତି ଘଟିଛି। ସୁରକ୍ଷାଗତ କାରଣରୁ ଏହି ମ୍ୟାଚ ପାକିସ୍ତାନ ପରିବର୍ତ୍ତେ ଏକ ନିରପେକ୍ଷ ଭେନ୍ୟୁରେ ଖେଳାଯାଉ ବୋଲି ଏଆଇଟିଏ ପକ୍ଷରୁ ହେଉଥିବା ଦାବିକୁ ଆଇଟିଏଫ୍‌ ଦୁଇଥର ପ୍ରତ୍ୟାଖ୍ୟାନ କରିସାରିଛି। ହେଲେ ଶେଷରେ ଏହି ପ୍ରସଙ୍ଗ ନେଇ ଏଆଇଟିଏର ପ୍ରତିନିଧିଙ୍କ ସହିତ ଟେଲିକନଫରେନ୍ସ ଜରିଆରେ ଆଲୋଚନା କରିବା ଲାଗି ଆଇଟିଏଫ୍‌ ରାଜି ହୋଇଥିଲା। ମାତ୍ର ଏହା ପୂର୍ବରୁ ଆଇଟିଏଫ୍‌ର ଡେଭିସ୍‌ କପ୍‌ କମିଟି ମ୍ୟାଚକୁ ଘୁଞ୍ଚାଇ ଦେବାଲାଗି ନିଷ୍ପତ୍ତି ନେଇଛି।

Share