Categories: ଖେଳ

ଡେଭିସ କପ୍‌ରେ ଆମେ ଭାରତକୁ ହରାଇପାରିବୁ: ଅଖିଲ ଖାଁ

କରାଚୀ,୫।୮(ପି.ଟି.)- ପାକିସ୍ତାନ ଅପେକ୍ଷା ଭାରତରେ ଟେନିସ କ୍ରୀଡ଼ାର ଅଧିକ ଉନ୍ନତି ହୋଇଥିବା ଭେଟେରାନ ସିଙ୍ଗଲ୍ସ ଖେଳାଳି ଅକିଲ ଖାଁ ସ୍ବୀକାର କହିଛନ୍ତି। କିନ୍ତୁ ଇସଲାମାବାଦ୍‌ଠାରେ ହେବାକୁ ଥିବା ଡେଭିସ କପ୍‌ରେ ଭାରତକୁ ପାକିସ୍ତାନ ହରାଇପାରିବ ବୋଲି ସେ ବିଶ୍ୱାସ ରଖିଛନ୍ତି। ଦୁଇ ପଡ଼ୋଶୀ ଦେଶ ଦୀର୍ଘ ୧୩ ବର୍ଷ ପରେ ପରସ୍ପରକୁ ଡେଭିସ କପ୍‌ରେ ଭେଟିବାକୁ ଯାଉଛନ୍ତି। ଅନ୍ତିମ ଥର ୨୦୦୬ରେ ମୁମ୍ବାଇଠାରେ ଅନୁଷ୍ଠିତ ମୁକାବିଲାକୁ ଭାରତ ୩-୨ରେ ଜିତି ନେଇଥିଲା। ଭାରତୀୟ ଦଳ ୫୫ ବର୍ଷ ପରେ ପାକିସ୍ତାନ ଗସ୍ତ କରିବାକୁ ଯାଉଛି। ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟରେ ଭାରତକୁ ହରାଇବା ଆମ ପାଇଁ ସହଜ ହେବ ନାହିଁ। କାରଣ ସେମାନଙ୍କୁ ଭଲ ସୁବିଧା ସୁଯୋଗ ଓ ଆର୍ଥିକ ସହାୟତା ମିଳିଥିବାରୁ ପ୍ରତିଭା ସମ୍ପନ୍ନ ଖେଳାଳିମାନେ ଆଗକୁ ଆସି ପାରୁଛନ୍ତି। ଭାରତ ଟେନିସରେ ବହୁତ ଆଗେଇ ସାରିଛି। କିନ୍ତୁ ଅଭିଜ୍ଞ ଏସାମ ଓ ମୁଁ ଡେଭିସ କପ୍‌ରେ ମିଳିତ ଭାବେ ବହୁ ଦିନ ଧରି ଖେଳିଆସୁଛି। ଡବଲ୍ସ ବର୍ଗରେ ଆମ ବୁଝମଣା ଓ ଘରୋଇ ଭେନ୍ୟୁ ମୁକାବିଲା ଖେଳାଯିବାକୁ ଥିବାରୁ ଆମକୁ ଆଡଭାଣ୍ଟେଜ ମିଳିବ ବୋଲି ଅକିଲ କହିଛନ୍ତି। ନିକଟରେ ଏସାମ ଇସ୍‌ଲାମାବାଦ୍‌ ଫେରିବା ନେଇ ପାକିସ୍ତାନ ଟେନିସ ଫେଡେରେଶନ (ପିଟିଏଫ୍‌) ଘୋଷଣା କରିଛି। ୩୯ ବର୍ଷୀୟ ଭେଟେରାନ ପେସାଦାର ସର୍କିଟରେ ୧୭ ଏଟିପି ଡବଲ୍ସ ଟାଇଟଲ ହାସଲ କରିସାରିଛନ୍ତି।

Share