Categories: ଖେଳ

ଡୋପିଂକୁ ରୋକିବା ପାଇଁ ବିଏଫ୍‌ଆଇର ନୂଆ ପ୍ରୟାସ

ନୂଆଦିଲ୍ଲୀ,୧୩।୧୨(ପି.ଟି.)- ଗତ କିଛି ଦିନ ମଧ୍ୟରେ ଏକାଧିକ ଭାରତୀୟ ବକ୍ସର ଡୋପ୍‌ ଟେଷ୍ଟରେ ବିଫଳ ହେବା ପରେ ବକ୍ସିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ବିଏଫ୍‌ଆଇ) ନିଦ ଭାଙ୍ଗିଛି। ଡୋପିଂକୁ ରୋକିବା ପାଇଁ ବିଏଫ୍‌ଆଇ ଗୁରୁବାର ହାଇ ପରଫର୍ମାନ୍ସ ଡାଇରେକ୍ଟର ଓ କୋଚ୍‌ମାନଙ୍କୁ ଖେଳାଳିମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ପରାମର୍ଶ ଦେଇଛି। ଜାତୀୟ କ୍ୟାମ୍ପ ଡୋପ୍‌କୁ ହେଉଥିବା ଠକାମିକୁ ରୋକିବା ପାଇଁ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି। ସେହିପରି ୪ ମାସକୁ ଥରେ ନିଶା ନିବାରଣ ନେଇ ସମସ୍ତଙ୍କୁ ସତର୍କ କରାଇବାକୁ କୁହାଯାଇଛି।
ଉଲ୍ଲେଖଥାଉ କି, ପୂର୍ବତନ ଏସିଆନ ରୌପ୍ୟ ପଦକ ବିଜେତା ସୁମିତ ସାଙ୍ଗଓ୍ବାନ ଓ ଟୋକିଓ ଅଲିମ୍ପିକ୍ସ ସମ୍ଭାବ୍ୟ ମହିଳା ବକ୍ସର ନୀରଜ ଫୋଗତ ଡୋପ୍‌ ଟେଷ୍ଟରେ ବିଫଳ ହେବା ଘଟଣା ସମସ୍ତଙ୍କୁ ଚକିତ କରିଛି। ଜାଣିଶୁଣି ଭୁଲ କରୁଥିବା ବକ୍ସରଙ୍କୁ ସମବେଦନା ଜଣାଇବାର ଆବଶ୍ୟକତା ନାହିଁ। ତେବେ ଅଜାଣତରେ ଭୁଲ କରି ଯେଉଁମାନେ ଡୋପ୍‌ ଟେଷ୍ଟରେ ବିଫଳ ହେଉଛନ୍ତି ସେମାନଙ୍କ ସବୁ ଦୃଷ୍ଟିକୋଣରୁ ସହାୟତା ଦେବାର ଆବଶ୍ୟକତା ରହିଛି ବୋଲି ବିଏଫ୍‌ଆଇ ସାଧାରଣ ସମ୍ପାଦକ ଜୟ କୋହଲି କହିଛନ୍ତି। ଦୁଇଜଣ ତାରକା ବକ୍ସର ଡୋପ୍‌ ଟେଷ୍ଟରେ ବିଫଳ ହେବା ନେଇ ଆମେ ଚକିତ ଓ ଏହା ଗ୍ରହଣୀୟ ନୁହଁ ବୋଲି କୋହଲି ହାଇ ପରଫର୍ମାନ୍ସ ଡାଇରେକ୍ଟର ସାଣ୍ଟିଆଗୋ ନିଏଭା (ପୁରୁଷ) ଓ ରାଫେଲ ବେରଗାମାସ୍କୋ (ମହିଳା)ଙ୍କୁ ଚିଠି ଜଣାଇଛନ୍ତି।

Share