Categories: ଖେଳ

ଡୋପ୍‌ ଟେଷ୍ଟରେ ବିଫଳ ହେଲେ ଗୋମତୀ

ନୂଆଦିଲ୍ଲୀ, ୨୨ା୫ (ପି.ଟି.)-ଗତମାସରେ ଅନୁଷ୍ଠିତ ଏସିଆନ ଚାମ୍ପିୟନଶିପ୍‌ ୮୦୦ମିଟର ରେସ୍‌ରେ ସ୍ବର୍ଣ୍ଣ ଜିତିଥିବା ଗୋମତୀ ମାରିମୁଥୁ ଡୋପ୍‌ ଟେଷ୍ଟରେ ବିଫଳ ହୋଇଛନ୍ତି। ତାଙ୍କୁୁ ମଙ୍ଗଳବାର ତୁରନ୍ତ ସସ୍‌ପେଣ୍ଡ କରାଯାଇଛି। ତାମିଲନାଡୁର ଏହି ୩୦ବର୍ଷୀୟା ମହିଳା ଆଥ୍‌ଲେଟଙ୍କର ଦୋହାରେ ଏସିଆନ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ ବେଳେ ଡୋପ୍‌ ଟେଷ୍ଟ ହୋଇଥିଲା। ତାଙ୍କ ‘ଏ’ ସାମ୍ପଲରେ ଏକ ଷ୍ଟେରଏଡ୍‌ର ମାତ୍ରା ରହିଥିଲା। ଚାମ୍ପିୟନଶିପ୍‌ରେ ଏପ୍ରିଲ ୨୨ ତାରିଖରେ ୨ମିନିଟ ୨.୭୦ ସେକେଣ୍ଡ ଟାଇମିଂରେ ଗୋମତୀ ସ୍ବର୍ଣ୍ଣ ଜିତିଥିଲେ। ଯଦି ବି’ ସାମ୍ପଲ ପଜିଟିଭ ଆସେ ତେବେ ତାଙ୍କୁ ସର୍ବାଧିକ ୪ ବର୍ଷ ପର୍ଯ୍ୟନ୍ତ ବାସନ୍ଦ ଦଣ୍ଡ ଭୋଗିବାକୁ ପଡ଼ିପାରେ। ଏହାର ତାଙ୍କର ପ୍ରଥମ ଡୋପ୍‌ ଅପରାଧ। ଏସିଆନ ଚାମ୍ପିୟନଶିପ୍‌ରେ ଭାରତ ୩ ସ୍ବର୍ଣ୍ଣ, ୭ ରୌପ୍ୟ ଏବଂ ସମାନ ସଂଖ୍ୟକ ବ୍ରୋଞ୍ଜ ପଦକ ଜିତିଥିଲା। ଗୋମତୀଙ୍କ ଯୋଗୁ ଭାରତକୁ ଗୋଟିଏ ସ୍ବର୍ଣ୍ଣ ହରାଇବାକୁ ପଡ଼ିବ। ଖବର ଅନୁସାରେ ମାର୍ଚ୍ଚ ୧୫ରୁ ୧୮ ପର୍ଯ୍ୟନ୍ତ ପଟିଆଲାରେ ଫେଡେରେଶନ କପ୍‌ ବେଳେ ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍‌ସି(ନାଡା) ଦ୍ୱାରା ଗୋମତୀଙ୍କ ଡୋପ୍‌ ଟେଷ୍ଟ ହୋଇଥିଲା। ସେଥର ତାଙ୍କଠାରୁ ସଂଗ୍ରହ କରାଯାଇଥିବା ସାମ୍ପଲରୁ ନିଷିଦ୍ଧ ପଦାର୍ଥ ମିଳିଥିଲା। ମାତ୍ର ରିପୋର୍ଟ ଠିକଣା ସମୟରେ ମିଳିଥିଲେ ଏହି ଆଥଲେଟଙ୍କୁ ଏସିଆନ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣରୁ ବଞ୍ଚତ୍ତ କରାଯାଇ ପାରିଥାନ୍ତା ବୋଲି ଆଥଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ)ର ଜଣେ ଅଫିସିଆଲ ପ୍ରକାଶ କରିଛନ୍ତି।

Share