Categories: ଜାତୀୟ

ଡୋଭାଲଙ୍କ ଘରେ ଧାର୍ମିକ ନେତାଙ୍କ ବୈଠକ : ଶାନ୍ତି, ସହାବସ୍ଥାନ ପାଇଁ ସହମତି

ନୂଆଦିଲ୍ଲୀ,୧୧ା୧୧(ପି.ଟି.): ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ମାମଲାରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ଆସିବା ଦିନକ ପରେ ଉକ୍ତ ଅଞ୍ଚଳରେ ଶାନ୍ତି ଓ ସହାବସ୍ଥାନ ପାଇଁ ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଧାର୍ମିକ ନେତାଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଛି। ନୂଆଦିଲ୍ଲୀରେ ରବିବାର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ୍‌ ଡୋଭାଲଙ୍କ ବାସଭବନରେ ଆନ୍ତଃ ଧାର୍ମିକ ଆସ୍ଥାକୁ ନେଇ ଏକ ବୈଠକ ହୋଇଛି। ଏଥିରେ ଶିୟା ଧର୍ମଗୁରୁ ମୌଲାନା କଲ୍‌ବେ ଜାଓ୍ବଦ୍‌, ସ୍ବାମୀ ଚିଦାନନ୍ଦ ସରସ୍ବତୀ, ସ୍ବାମୀ ପରମାତ୍ମାନନ୍ଦ ଓ ଯୋଗଗୁରୁ ରାମଦେବଙ୍କ ସମେତ ଅନେକ ଆଧ୍ୟାତ୍ମିକ ଗୁରୁ ଯୋଗଦେଇଥିଲେ। ସେହିପରି ମଜ୍‌ଲିସ-ଇ-ମୁଶାଓ୍ବରାତ୍‌ର ନାଭିଦ୍‌ ହମିଦ୍‌ ଏବଂ ଜମାତ୍‌-ଇ-ଇସ୍‌ଲାମି ହିନ୍ଦ୍‌ ନେତା ସଲିମ୍‌ ଇଞ୍ଜିନିୟର ମଧ୍ୟ ବୈଠକରେ ସାମିଲ ଥିଲେ। ଅଯୋଧ୍ୟା ରାୟ ପରେ ଦେଶରେ ଶାନ୍ତି ଓ ସହାବସ୍ଥାନର ସନ୍ଦେଶ ପ୍ରେରଣ କରିବା ହେଉଛି ଏହି ବୈଠକର ଲକ୍ଷ୍ୟ। ଦୁଇ ସମ୍ପ୍ରଦାୟ ମଧ୍ୟରେ ରାୟକୁ ନେଇ ଯେପରି କୌଣସି ପ୍ରକାର ଉତ୍ତେଜନା ପ୍ରକାଶ ନ ପାଇବ ସେନେଇ ଏନ୍‌ଏସ୍‌ଏ ଡୋଭାଲ ଓ ଧର୍ମଗୁରୁମାନେ ଆଲୋଚନା କରିଥିବା ରାମଦେବ କହିଛନ୍ତି।

Share