ଡ୍ରାଇଭରଙ୍କୁ ଆକ୍ରମଣ କରି ଲୁଟି ନେଲେ ଆଳୁ ବସ୍ତା

ରୂପ୍‌ସା, ୨୯।୩(ଡି.ଏନ.ଏ.)-ବାଲେଶ୍ୱର ୬୦ନଂ. ଜାତୀୟ ରାଜପଥର ବସ୍ତା ଥାନା ଅନ୍ତର୍ଗତ ଗହୀରସିମୁଳିଆଠାରେ ୫ଜଣ ଡକାୟତ ଜଣେ ଟ୍ରକ୍‌ ଡ୍ରାଇଭରଙ୍କୁ ଛୁରିରେ ଆକ୍ରମଣ କରି ତାଙ୍କଠାରୁ ୭ହଜାର ଟଙ୍କା, ମୋବାଇଲ ସହ ଆଳୁ ବସ୍ତା ଲୁଟି ନେଇଛନ୍ତି। ଏ ସଂକ୍ରାନ୍ତରେ ଶନିବାର ପୋଲିସ ଏକ ମାମଲା (ନଂ. ୭୪/୨୦) ରୁଜୁ କରି ୪ଜଣ ଡକାୟତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ବସ୍ତା ଥାନା ସାନଖୁଡ଼ି ଗ୍ରାମର ତପନ କୁମାର ଦାସ, କରୁଣାକର ଦାସ, ସଞ୍ଜୟ ଦାସ ଓ ମଥାନୀର ତାରୁ ଦାସ।
ମୁଜାଫରପୁର ଜିଲା ବସ୍ତାକାଜି ଅଞ୍ଚଳର ଟ୍ରକ୍‌ ଡ୍ରାଇଭର ବ୍ରଜକିଶୋର ସିଂ ରାଜପଥ ପାର୍ଶ୍ୱରେ ଟ୍ରକ୍‌କୁ ଅଟକାଇଥିଲେ। ଏହି ସମୟରେ ୨ଟି ବାଇକ୍‌ରେ ୫ଜଣ ଡକାୟତ ଆସି ତାଙ୍କୁ ଛୁରିରେ ଆକ୍ରମଣ କରି ଭୟଭୀତ କରାଇ ଲୁଟ୍‌ କରିବାର ସମର୍ଥ ହୋଇଥିଲେ। ଅଭିଯୋଗ ପରେ ଆଇଆଇସି ମାନସ କୁମାର ଦେଓ, ଏସ୍‌ଆଇ ପ୍ରଶାନ୍ତ କୁମାର ପାଣି ସଦଳବଳେ ଚଢ଼ାଉ କରି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ସେମାନଙ୍କଠାରୁ ୨ଟି ବାଇକ୍‌, ଚୋରି ମୋବାଇଲ ଓ ଟଙ୍କା ଜବତ ହୋଇଛି।