ଡ୍ରାଇଭରଙ୍କୁ ହତ୍ୟା ଘଟଣା : ଢାବା କର୍ମଚାରୀ ଗିରଫ

ସୋନପୁର,୨୪।୮(ନି.ପ୍ର.) : ଡ୍ରାଇଭରଙ୍କୁ ହତ୍ୟା ଘଟଣାରେ ସୋନପୁର ଟାଉନ ପୋଲିସ ଅଭିଯୁକ୍ତ ସୁଶାନ୍ତ ଗୁରୁ(୨୦)ଙ୍କୁ ଗିରଫ କରିଛି। ଶନିବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ସୁଶାନ୍ତଙ୍କ ଘର ତରଭା ଥାନା କୁଟସିରା ଗ୍ରାମରେ। ସୋନପୁର-ବିନିକା ରାସ୍ତାର ଶରଧାପାଲି ନିକଟରେ ଥିବା ଏକ ଢାବାରେ ଗୁରୁବାର ଅପରାହ୍ନରେ ଏକ ହତ୍ୟାକାଣ୍ଡ ଘଟିଥିଲା। ଢାବାକୁ ଖାଇବାକୁ ଯାଇଥିବା ବିନିକା ଥାନା ଜାମଛପର ଗ୍ରାମର ଯଦୁମଣି ଭୁଏ(୩୦)ଙ୍କୁ ସୁଶାନ୍ତ ହତ୍ୟା କରିଥିଲେ। ସୁବର୍ଣ୍ଣପୁର ଏସ୍‌ପି ଦେବୀପ୍ରସାଦ ଦାଶ ହତ୍ୟାକାଣ୍ଡ ସମ୍ପର୍କରେ ଶନିବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଯଦୁମଣି ନିଜର ବନ୍ଧୁ ଟିଟୁଙ୍କ ସହିତ ଢାବାକୁ ମଧ୍ୟାହ୍ନଭୋଜନ କରିବାକୁ ଯାଇଥିଲେ। ଖାଇ ସାରିବା ପରେ ବିଲ୍‌ ପ୍ରଦାନକୁ ନେଇ ଯଦୁ ଓ ଢାବା କର୍ମଚାରୀ ସୁଶାନ୍ତଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଉତ୍ୟକ୍ତ ହୋଇ ସୁଶାନ୍ତ ଯଦୁମଣିଙ୍କ ବାମ ନାକ ପୁଡା ଓ କାଖରେ ଲୁହାରଡ ଭୁସି ହତ୍ୟା କରିଥିଲେ। ଏହି ଧାରୁଆ ଲୁହାରଡଟି ଢାବା ଚୂଲାରେ କୋଇଲା ଟଣା କାର୍ଯ୍ୟରେ ବ୍ୟବହୃତ ହେଉଥିଲା ବୋଲି ଏସ୍‌ପି କହିଛନ୍ତି। ପ୍ରଥମେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ମୃତକଙ୍କ ବାପା ପୁରନ୍ଦର ଭୁଏଙ୍କ ଅଭିଯୋଗକ୍ରମେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରିଥିଲା। ହତ୍ୟାକାରୀଙ୍କୁ ଧରିବା ପାଇଁ ଏସ୍‌ପି ଦାଶ ସୋନପୁର ଏସଡିପିଓ ମିହିର କୁମାର ପଣ୍ଡା ଓ ସୋନପୁର ଆଇଆଇସି ଲୋକେଶ କୁମାର ସାହୁଙ୍କୁ ନେଇ ଏକ ଟିମ୍‌ ଗଠନ କରିଥିଲେ। ଢାବାର ଅନ୍ୟ କର୍ମଚାରୀଙ୍କୁ ପଚରାଉଚୁରା ପରେ ହତ୍ୟାକରୀଙ୍କୁ ଗିରଫ କରାଯାଇଛି। ହତ୍ୟାକାଣ୍ଡରେ ବ୍ୟବହୃତ ଲୁହାରଡ ଜବତ ହୋଇଥିବା ଏସ୍‌ପି କହିଛନ୍ତି। ଏହି ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ରମେଶ ଚନ୍ଦ୍ର ପାଣିଗ୍ରାହୀ, ଆନ୍ତୋନୀ ତିର୍କୀ, ବୀରମହାରାଜପୁର ଏସ୍‌ଡିପିଓ ଧୀରଜ ଚୋପଦାର ଓ ସୋନପୁର ଆଇଆଇସି ଲୋକେଶ ସାହୁ ଉପସ୍ଥିତ ଥିଲେ।