ଡ୍ରାଇଭରଙ୍କ ମୃତଦେହ ମିଳିବା ଘଟଣା: ହତ୍ୟା ମାମଲା ରୁଜୁକଲା ପୋଲିସ

ଭୁବନେଶ୍ୱର, ୫ା୧୨(ବ୍ୟୁରୋ): ଚନ୍ଦ୍ରଶେଖରପୁର ଥାନା ଶ୍ରୀବିହାରସ୍ଥିତ ଏକ ଆପାର୍ଟମେଣ୍ଟ ନିକଟ ପାଚେରୀ କଡ଼ରୁ ସନ୍ଦେହଜନକ ଅବସ୍ଥାରେ ଜଣେ କାର୍‌ ଡ୍ରାଇଭରଙ୍କ ମୃତଦେହକୁ ପୋଲିସ ସୋମବାର ଉଦ୍ଧାର କରିଥିଲା। ମୃତକ ଜଣକ ହେଲେ ପୁରୀ ଜିଲା ବ୍ରହ୍ମଗିରି ଅଞ୍ଚଳର ସୁନୀଲ୍‌ ସେଠୀ। ପ୍ରାଥମିକ ଅବସ୍ଥାରେ ପୋଲିସ ୮୫/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ମାତ୍ର ପରିବାର ଲୋକଙ୍କ ଅଭିଯୋଗକ୍ରମେ ପୋଲିସ ୪୮୧/୧୯ରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି। ସୂଚନା ମୁତାବକ, ସୁନୀଲ ବ୍ରହ୍ମଗିରିର ଏକ ଟ୍ରାଭେଲ୍ସରେ ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି। ସେ ଗତ ରବିବାର ଏକ କାରରେ ଜଣେ ବ୍ୟକ୍ତିଙ୍କୁ ଭଡ଼ାରେ ଶ୍ରୀବିହାର ଆଣି ହଠାତ୍‌ ଗାଡ଼ି ଛାଡ଼ି କେଉଁଆଡେ ଚାଲିଯାଇଥିଲେ। ସୋମବାର ସକାଳୁ ତାଙ୍କ ମୃତଦେହ ମିଳିଥିଲା। ସୁନୀଲଙ୍କୁ ଯୋଜନା ମୁତାବକ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ତଦନ୍ତକାରୀ ଅଧିକାରୀ ଜ୍ଞାନନନ୍ଦ ଶାହା କହିଛନ୍ତି, ସୁନୀଲଙ୍କ ନିକଟରୁ ମିଳିଥିବା ମୋବାଇଲ୍‌ ଫୋନ୍‌ରେ ୧୦୪ ମିସ୍‌ଡ କଲ୍‌ ରହିଛି। ସାଇଣ୍ଟିଫିକ ଓ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ସେ କହିଛନ୍ତି।

Share