Categories: ଖେଳ

ଡ୍ରାଇଭିଂରୁ ଓ୍ବର୍ନ ବର୍ଷେ ବାସନ୍ଦ

ଲଣ୍ଡନ,୨୪।୯(ପି.ଟି.)- ଅଷ୍ଟ୍ରେଲୀୟ ସ୍ପିନ୍‌ କିମ୍ବଦନ୍ତୀ ଶେନ୍‌ ଓ୍ବର୍ନ ଡ୍ରାଇଭିଂରୁ ୧୨ ମାସ ବାସନ୍ଦ ହୋଇଛନ୍ତି। ଗତ ଦୁଇ ବର୍ଷ ମଧ୍ୟରେ ସେ ଷଷ୍ଠଥର ପାଇଁ ଦ୍ରୁତ ଗତିରେ ଗାଡି ଚଳାଇବା ହେତୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଲଣ୍ଡନର ଏକ କୋର୍ଟ ତାଙ୍କୁ ଏଥିପାଇଁ ବାସନ୍ଦ କରିଛି। ୫୦ ବର୍ଷୀୟ ପୂର୍ବତନ ଏହି ଲେଗ୍‌ ସ୍ପିନର ଗତବର୍ଷ ଅଗଷ୍ଟ ମାସରେ କେନିଂଟନରେ ଘଣ୍ଟା ପ୍ରତି ୪୦ ମାଇଲ୍‌ ଜୋନ୍‌ରେ ୪୭ମାଇଲ ବେଗରେ ତାଙ୍କ ଜାଗୁଆର କାର୍‌ ଚଳାଉଥିଲେ। ଫଳରେ ଓ୍ବିମ୍ବେଲଡ଼ନ ମାଜିଷ୍ଟ୍ରେଟ୍‌ ତାଙ୍କୁ ଏହି ବାସନ୍ଦାଦେଶରେ ଦଣ୍ଡିତ କରିଛନ୍ତି। ଶୁଣାଣି ପାଇଁ ଓ୍ବାର୍ନ କୋର୍ଟରେ ଉପସ୍ଥିତ ନ ଥିଲେ। ଏହା ପୂର୍ବରୁ ୨୦୧୬ ଏପ୍ରିଲ ପରଠାରୁ ଓ୍ବର୍ନ ୫ଥର ସ୍ପିଡିଂ ଅଫେନ୍ସ କରିଥିଲେ। ଫଳରେ ତାଙ୍କ ଲାଇସେନ୍ସରେ ୧୫ ପେନାଲ୍ଟି ପଏଣ୍ଟ ଲାଗୁ ହୋଇଥିଲା। କେବଳ ସେତିକି ନୁହେଁ ତାଙ୍କୁ ୧, ୮୪୫ ପାଉଣ୍ଡ ଜରିମାନା ଦେବାକୁ ମଧ୍ୟ ମାଜିଷ୍ଟ୍ରେଟ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଥାଉ କି, ଓ୍ବର୍ନ ଓ୍ବେଷ୍ଟ ଲଣ୍ଡନରେ ରହୁଛନ୍ତି। କ୍ରିକେଟ ଇତିହାସରେ ସେ ଅନ୍ୟତମ ଶ୍ରେଷ୍ଠ ବୋଲର ତଥା ସ୍ପିନର ବିବେଚିତ ହେଉଛନ୍ତି। ୧୯୯୨ରୁ ୨୦୦୭ ମଧ୍ୟରେ ୧୪୫ଟି ଟେଷ୍ଟ ଖେଳି ସେ ୭୦୮ଟି ଉଇକେଟ ହାସଲ କରିଛନ୍ତି।

Share