ଡ୍ରାଇଭିଂ ଲାଇସେନ୍ସ ଆଳରେ ଅନ୍‌ଲାଇନ ଠକେଇ

ଭୁବନେଶ୍ୱର, ୨ା୧୧(ବ୍ୟୁରୋ): ନୂଆ ମୋଟରଯାନ ଆଇନ ଲାଗୁହେବା ପରଠାରୁ ଡ୍ରାଇଭିଂ ଲାଇସେନ୍ସ ଓ ଗାଡ଼ିର ଅନ୍ୟାନ୍ୟ କାଗଜପତ୍ର ପାଇଁ ଆର୍‌ଟିଓ ଅଫିସରେ ଲୋକଙ୍କ ଭିଡ଼ ଜମୁଛି। ଏବେ ଆର୍‌ଟିଓ ଅଫିସରୁ ଦଲାଲ ହଟିଯିବା ପରେ ଲୋକେ ଅନ୍‌ଲାଇନ୍‌ରେ ଆବେଦନ କରୁଛନ୍ତି। ମାତ୍ର ଏହାର ସୁଯୋଗ ନେଇ ସାଇବାର ଠକମାନେ ଭିନ୍ନ ଉପାୟରେ ଲୋକଙ୍କୁ ଠକିବା ଆରମ୍ଭ କରିଛନ୍ତି। ଅନ୍‌ଲାଇନ୍‌ରେ ଆବେଦନ ପାଇଁ ଲୋକେ ସର୍ଚ୍ଚ କଲେ ଏକାଧିକ ନକଲି ସାଇଟ୍‌ ଆସୁଛି। ଅନ୍‌ଲାଇନ୍‌ ଡ୍ରାଇଭିଂ ଲାଇସେନ୍ସ ଆପ୍ଲିକେଶନ ପୋର୍ଟାଲ-ପ୍ରାଇଭେଟ୍‌ ସର୍ଭିସ ପ୍ରୋଭାଇଡର ନଁ।ରେ ଏହି ଓ୍ବେବ୍‌ସାଇଟ୍‌ ପ୍ରଥମେ ଆସୁଛି। ଉକ୍ତ ସାଇଟ୍‌ର ଉପରେ ପ୍ରଧାନମନ୍ତ୍ରୀ ମୋଦି ଓ ସ୍ବଚ୍ଛ ଭାରତ ଅଭିଯାନ ଲୋଗୋ ରହିଥିବାରୁ ଲୋକେ ବିଶ୍ୱାସ କରି ଫସୁଛନ୍ତି। ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ଲୋକେ ଏହି ଠକେଇର ଶିକାର ହୋଇଥିବା ଜଣାପଡ଼ିଛି।
ମିଳିଥିବା ସୂଚନାନୁସାରେ, ଆବେଦନ ପାଇଁ ଫର୍ମ ପୂରଣ କରିବା ପରେ ଅନ୍‌ଲାଇନ୍‌ ମାଧ୍ୟମରେ ୧୯୫୦ ଟଙ୍କା ଦେବାକୁ ପରାମର୍ଶ ଦିଆଯାଉଛି। ଟଙ୍କା ପଇଠ କରିବାର ଦିନ ପରେ ଦିନ ବିତୁଥିଲେ ମଧ୍ୟ ଡ୍ରାଇଭିଂ ଲାଇସେନ୍ସ ମିଳୁନି କି ଆଉ କିଛି ରେସ୍‌ପନ୍ସ ଆସୁନି। ଉକ୍ତ ସାଇଟରେ ଦିଆଯାଇଥିବା ନମ୍ବରକୁ ଯୋଗାଯୋଗ କଲେ ଜଣେ ଯୁବତୀ ଫୋନ ଉଠାଇ କଥା ହେବା ସହ ସେ ଏହି ସମ୍ପର୍କରେ କିଛି ଜାଣି ନ ଥିବା କହୁଛନ୍ତି। ରାଜ୍ୟ ପରିବହନ କମିଶନର ସଞ୍ଜୀବ ପଣ୍ଡା ଏହା ଜାଣିବା ପରେ ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ରାଜ୍ୟବାସୀ ବିଭାଗର ଓ୍ବେବ୍‌ସାଇଟ୍‌ paribahan.gov.in odishaରେ ଆବେଦନ କରିବାକୁ ପରାମର୍ଶ ଦେଇଛନ୍ତି। ଏଥିସହ ଅନ୍‌ଲାଇନ୍‌ ଠକେଇ କରୁଥିବା ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

Share