ଡ୍ରାଗନ୍‌ ଚିକେନ୍‌

ପର୍ଯ୍ୟଟନ ସହର ପୁରୀର ହୋଟେଲ, ରେସ୍ତୋରଁାଗୁଡ଼ିକ ଗ୍ରାହକଙ୍କ ରୁଚିକୁ ଦେଖି ବିଭିନ୍ନ ପ୍ରକାର ଡିଶ୍‌ ପ୍ରସ୍ତୁତ କରୁଛନ୍ତିି। ସାଗର ତରଙ୍ଗ ରେସିଡେନ୍ସିରେ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ହେଉଛି ସ୍ବାଦିଷ୍ଟ ଡ୍ରାଗନ ଚିକେନ୍‌। ଏହାର ଚାହିଦା ବି ରହିଛି। ଗୋଟେ ପ୍ଲେଟ୍‌ର ଦାମ୍‌ ୩୦୦ଟଙ୍କା। ଏହାକୁ ଘରେ କିପରି ସହଜରେ ପ୍ରସ୍ତୁତ କରିହେବ ସେ ସମ୍ପର୍କରେ ଶେଫ୍‌ ଅଭୟ ଜେନା କୁହନ୍ତି…

ଆବଶ୍ୟକ ସାମଗ୍ରୀ

ଚିକେନ୍‌: ୫୦୦ ଗ୍ରାମ୍‌
ଗୋଲ ମରିଚ ଗୁଣ୍ଡ:୨ ଚାମଚ
ସୋୟା ସସ୍‌: ୨ଚାମଚ
ଅଣ୍ଡା:୧ଟା
କର୍ନଫ୍ଳୋର୍‌:୨ ଚାମଚ
ରିଫାଇନ ତେଲ: ୫୦୦ମିଲିଗ୍ରାମ୍‌
କାଜୁ:୨୦ ଗ୍ରାମ
ଶୁଖିଲା ଲଙ୍କା: ୩ଟା
ପିଆଜ କଟା: ୧୦୦ଗ୍ରାମ୍‌
କ୍ୟାପ୍‌ସିକମ୍‌: ୧୦୦ ଗ୍ରାମ୍‌
ଲଙ୍କା ପେଷ୍ଟ: ୨ ଚାମଚ
ଟମାଟୋ ସସ୍‌: ୪ ଚାମଚ
ଚିନି: ୧ ଚାମଚ
ଅଦା ରସୁଣ ପେଷ୍ଟ:୧ ଚାମଚ
ଧନିଆ ପତ୍ର: ୧ବିଡା
ଲୁଣ ସ୍ବାଦ ଅନୁସାରେ

ପ୍ରସ୍ତୁତି ପ୍ରଣାଳୀ

ଚିକେନ୍‌କୁ ପତଳା କରି କାଟି ଗୋଟିଏ ପାତ୍ରରେ ରଖନ୍ତୁ। ସେଥିରେ ଗୋଲ ମରିଚ ଗୁଣ୍ଡ, ଲୁଣ, ଅଣ୍ଡା, ଅଦା ରସୁଣ ଦେଇ ଭଲ ଭାବରେ ମିଶାନ୍ତୁ। ଏହାପରେ ସେଥିରେ କର୍ନଫ୍ଲୋର ପାଉଡର ମିଶାଇ ତେଲରେ ଡିପ୍‌ ଫ୍ରାଏ କରନ୍ତୁ। ଅନ୍ୟ ଏକ କଡେଇରେ ତେଲ ନେଇ ଗରମ କରନ୍ତୁ ଓ ସେଥିରେ ପ୍ରଥମେ କାଜୁ ପକାନ୍ତୁ। କାଜୁ କଲର ଆସିବା ପରେ ସେଥିରେ ଶୁଖିଲା ଲଙ୍କା ପକାନ୍ତୁ। ଏହାପରେ ସେଥିରେ ଲଙ୍କା ପେଷ୍ଟ, ସୋୟା ସସ୍‌, ଲୁଣ, ଟମାଟୋ ସସ୍‌, ଚିନି ଓ ଅଳ୍ପ ପାଣି ଦେଇ ମିଶାନ୍ତୁ। ୨ ମିନିଟ୍‌ ପରେ ସେଥିରେ ଫ୍ରାଏଡ୍‌ ଚିକେନ୍‌ ମିଶାନ୍ତୁୁ। ପରେ ଧନିଆ ପତ୍ର ପକାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଡ୍ରାଗନ ଚିକେନ୍‌। ଗରମ ଗରମ ପରଷି ଦିଅନ୍ତୁ।