Categories: ଖେଳ

ଡ୍ରାଭିଡଙ୍କୁ ନୂଆ ଦାୟିତ୍ୱ

ନୂଆଦିଲ୍ଲୀ, ୨୯।୬(ପି.ଟି.)- ପ୍ରାକ୍ତନ ଭାରତୀୟ ଅଧିନାୟକ ତଥା ଜୁନିୟର ଦଳର କୋଚ୍‌ ରାହୁଲ ଡ୍ରାଭିଡଙ୍କୁ ଜୁଲାଇ ୧ରୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ବାଙ୍ଗାଲୋରସ୍ଥିତ ଜାତୀୟ କ୍ରିକେଟ୍‌ ଏକାଡେମୀ (ଏନ୍‌ସିଏ)ର ‘ହେଡ୍‌ ଅଫ୍‌ କ୍ରିକେଟ୍‌’ ଭାବେ ଡ୍ରାଭିଡ ଆଗାମୀ ୨ ବର୍ଷ ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇବେ। ଏନ୍‌ସିଏର ହେଡ୍‌ ଅଫ୍‌ କ୍ରିକେଟ୍‌ ଭାବେ ଡ୍ରାଭିଡ୍‌ ପରବର୍ତ୍ତୀ ପିଢ଼ିର କ୍ରିକେଟର୍‌ଙ୍କ କ୍ୟାରିୟର ଗଢ଼ି ତୋଳିବାରେ ସହାୟତା କରିବା ସହିତ ଜୁନିୟର କ୍ରିକେଟରଙ୍କ ପାଇଁ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିବେ। ଏଥିସହ ଏହି ବ୍ୟାଟିଂ ମହାରଥୀ ଆହୁରି ମଧ୍ୟ ଭବିଷ୍ୟତର ମହିଳା କ୍ରିକେଟର୍‌ଙ୍କ ମେଣ୍ଟର ଦାୟିତ୍ୱ ମଧ୍ୟ ତୁଲାଇବେ ଏବଂ ଆହତ ଖେଳାଳିଙ୍କୁ ସୁସ୍ଥ ହେବା ଦିଗରେ ସହାୟତା କରିବେ। ଏହି ନୂଆ ଦାୟିତ୍ୱ ଗ୍ରହଣ କରିବା ଫଳରେ ଡ୍ରାଭିଡ୍‌ ଭାରତ-ଏ ଓ ୧୯ ବର୍ଷରୁ କମ୍‌ ଦଳ ସହିତ ଗସ୍ତ କରିପାରିବେ ନାହିଁ। ସେ ପୁରା ଗସ୍ତ ପାଇଁ ନ ହେଲେ ମଧ୍ୟ କିଛି ସମୟ ଜୁନିୟର ଭାରତୀୟ ଦଳ ସହ ବିତାଇବେ। ସେହିଭଳି ପ୍ରାକ୍ତନ ଦ୍ରୁତ ବୋଲର ପାରସ ମହାମ୍ବ୍ରେ ଓ ଅଭୟ ଶର୍ମା କିନ୍ତୁ ଜୁନିୟର ଦଳର ସପୋର୍ଟ ଷ୍ଟାଫ୍‌ ଭାବେ ପୂର୍ବଭଳି କାମ କରିବେ ବୋଲି ଶନିବାର ପ୍ରଶାସନିକ କମିଟି (ସିଓଏ) ବୈଠକରେ ଏହା ସ୍ଥିର କରାଯାଇଛି ବୋଲି ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଜୈନିକ ଅଧିକାରୀ କହିଛନ୍ତି।
ବୈଠକରେ ବର୍ତ୍ତମାନର ଓ ପ୍ରାକ୍ତନ ଖେଳାଳିଙ୍କ ‘ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ’ ମାମଲାରେ ମଧ୍ୟ ଆଲୋଚନା ହୋଇଥିଲା। ବିଶେଷ କରି ଭି.ଭି.ଏସ. ଲକ୍ଷ୍ମଣ ଓ ସୌରଭ ଗାଙ୍ଗୁଲିଙ୍କୁ ନେଇ ବିସିସିଆଇ ଏଥିକ୍ସ ଅଧିକାରୀ ତଥା ପ୍ରାକ୍ତନ ସୁପ୍ରିମ କୋର୍ଟ ଜଜ୍‌ ଡି.କେ. ଜୈନ ଜାରି କରିଥିବା ନିର୍ଦ୍ଦେଶ ଉପରେ ବୈଠକରେ ଆଲୋଚନା କରାଯାଇଥିଲା। ଲୋଧା କମିଟିର ନିୟମ ‘ଜଣେ ବ୍ୟକ୍ତି ଗୋଟିଏ ପଦ’କୁ ନେଇ ଜୈନ କହିଥିଲେ ଯେ, ବର୍ତ୍ତମାନ ଲକ୍ଷ୍ମଣଙ୍କୁ ୩ଟି ଦାୟିତ୍ୱ ମଧ୍ୟରୁ ଗୋଟିଏକୁ ବାଛିବାକୁ ପଡ଼ିବ। ଲକ୍ଷ୍ମଣ ବର୍ତ୍ତମାନ କ୍ରିକେଟ୍‌ ପରାମର୍ଶଦାତା କମିଟି (ସିଏସି), ଆଇପିଏଲ୍‌ ଫ୍ରାଞ୍ଚାଇଜ ସନରାଇଜର୍ସ ହାଇଦ୍ରାବାଦ୍‌ ଓ ଟିଭି ଭାଷ୍ୟକାର ଭାବେ ୩ଟି ଭୂମିକା ତୁଲାଉଛନ୍ତି।

Share