Categories: ଖେଳ

ଡ୍ରାଭିଡଙ୍କ ବିରୋଧରେ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ମାମଲା ଖାରଜ

ନୂଆଦିଲ୍ଲୀ, ୧୫ା୧୧(ପି.ଟି.)-ରାହୁଲ ଡ୍ରାଭିଡଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କ ବିରୋଧରେ ଅଣାଯାଇଥିବା ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ଅଭିଯୋଗକୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଏଥିକ୍ସ ଅଫିସର ଡି.କେ. ଜୈନ ଖାରଜ କରିଦେଇଛନ୍ତି। ଭାରତୀୟ କ୍ରିକେଟ କିମ୍ବଦନ୍ତୀ ବର୍ତ୍ତମାନ ବେଙ୍ଗାଲୁରୁସ୍ଥିତ ନ୍ୟାଶନାଲ କ୍ରିକେଟ ଏକାଡେମୀ (ଏନ୍‌ସିଏ)ର ନିର୍ଦ୍ଦେଶକ ଅଛନ୍ତି। ଏଥିସହିତ ଇଣ୍ଡିଆ ସିମେଣ୍ଟ୍ସ ଗ୍ରୁପ୍‌ର ଜଣେ ଉପସଭାପତି ଅଛନ୍ତି। ଏହି କମ୍ପାନୀ ଆଇପିଏଲ୍‌ ଫ୍ରାଞ୍ଜାଇଜ୍‌ ଚେନ୍ନାଇ ସୁପର କିଙ୍ଗ୍ସର ମାଲିକ ରହିଛି। ଏନ୍‌ସିଏରେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଡ୍ରାଭିଡ ଭାରତ ଏ’ ଏବଂ ୧୯ ବର୍ଷରୁ କମ୍‌ ଦଳର ମୁଖ୍ୟ କୋଚ୍‌ ଥିଲେ। ଏନ୍‌ସିଏ ଦାୟିତ୍ୱ ସହ ତାଙ୍କୁ ଏହି ଦୁଇଟି ଦଳର ଅଗ୍ରଗତି ଉପରେ ନଜର ରଖିବା ଲାଗି କୁହାଯାଇଛି। ଡ୍ରାଭିଡଙ୍କ ବିରୋଧରେ ମଧ୍ୟପ୍ରଦେଶ କ୍ରିକେଟ ଆସୋସିଏଶନ (ଏମ୍‌ପିସିଏ)ର ଜଣେ ଆଜୀବନ ସଦସ୍ୟ ସଞ୍ଜୀବ ଗୁପ୍ତା ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ଅଭିଯୋଗ ଆଣିଥିଲେ। ତାଙ୍କର ଯୁକ୍ତି ଥିଲା ଇଣ୍ଡିଆ ସିମେଣ୍ଟ୍ସର ଜଣେ କର୍ମଚାରୀ ଭାବେ ଏନ୍‌ସିଏର ଦାୟିତ୍ୱ ସ୍ବାର୍ଥନିହିତ ଦ୍ୱନ୍ଦ୍ୱ ପରିସ୍ଥିତି ସୃଷ୍ଟି କରୁଛି। ଡ୍ରାଭିଡ ପୂର୍ବରୁ ତାଙ୍କ ଯୁକ୍ତି ଉପସ୍ଥାପନ କରି କହିଥିଲେ ସେ ଇଣ୍ଡିଆ ସିମେଣ୍ଟ୍ସରୁ ଛୁଟି ନେଇଛନ୍ତି। ତେଣୁ ବର୍ତ୍ତମାନ ତାଙ୍କର ଚେନ୍ନାଇ ସୁପର କିଙ୍ଗ୍ସ ସହିତ କୌଣସି ସମ୍ପର୍କ ନାହିଁ। ବିସିସିଆଇ ସମ୍ବିଧାନର ଧାରା ୩୮(୪) ଅନୁସାରେ ଜଣେ ବ୍ୟକ୍ତି ଏକକାଳୀନ ଦୁଇଟି ପଦବୀରେ ରହି ପାରିବେ ନାହିଁ। ସୂଚନାଯୋଗ୍ୟ, ସେପ୍ଟେମ୍ବର ୨୬ରେ ମୁମ୍ବାଇଠାରେ ୪୬ ବର୍ଷୀୟ ପୂବର୍ର୍ତନ ଭାରତୀୟ ଅଧିନାୟକଙ୍କର ବ୍ୟକ୍ତିଗତ ଶୁଣାଣି ହୋଇଥିଲା। ଜୈନ ଦ୍ୱିତୀୟ ରାଉଣ୍ଡ ଶୁଣାଣି ମଙ୍ଗଳବାର କରିଥିଲେ। ସେଦିନ ଡ୍ରାଭିଡଙ୍କ ବଦଳରେ ତାଙ୍କ ଓକିଲ ପ୍ରତିନିଧିତ୍ୱ କରିଥିଲେ। ଗୁରୁବାର ଜୈନ ତାଙ୍କ ରାୟ ଶୁଣାଇଥିଲେ। ଡ୍ରାଭିଡ ସ୍ବାର୍ଥନିହିତ ଦ୍ୱନ୍ଦ୍ୱ ନିୟମ ପରିସରକୁ ଆସୁନ ଥିବା ମୋର ହୃଦ୍‌ବୋଧ ହୋଇଛି। ତେଣୁ ତାଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗକୁ ମୁଁ ଖାରଜ କରୁଛି ବୋଲି ସେ କହିଥିଲ।

 

Share