Categories: ଖେଳ

ଡ୍ରାଭିଡଙ୍କ ୧୪ ବର୍ଷୀୟ ପୁଅଙ୍କ ଦ୍ୱିଶତକ

ନୂଆଦିଲ୍ଲୀ,୨୧।୧୨- ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ଦି ଓ୍ବାଲ ଭାବେ ପରିଚିତ ରାହୁଲ ଡ୍ରାଭିଡଙ୍କ ପୁଅ ସମିତ ବାପାଙ୍କ ପଥରେ ଚାଲିବା ଆରମ୍ଭ କରିଛନ୍ତି। ବାପାଙ୍କ ଷ୍ଟାଇଲରେ ବ୍ୟାଟିଂ କରୁଥିବା ସମିତ ୧୪ ବର୍ଷରୁ କମ୍‌ କର୍ନାଟକ ଆନ୍ତଃ ଜୋନ କ୍ରିକେଟ ମ୍ୟାଚ୍‌ରେ ଦ୍ୱିଶତକ ହାସଲ କରିଛନ୍ତି। କର୍ନାଟକ ଆସୋସିଏଶନ ପକ୍ଷରୁ ଆୟୋଜିତ ଏହି ଲିଗ୍‌ରେ ଭାଇସ ପ୍ରେସିଡେଣ୍ଟ ଏକାଦଶ ପାଇଁ ଖେଳୁଥିବା ସମିତ ପ୍ରଥମ ଇନିଂସରେ ୨୫୦ ବଲର ସମ୍ମୁଖୀନ ୨୦୧ ରନ୍‌ର ଦ୍ୱିଶତକୀୟ ଇନିଂସ ଖେଳିବା ପରେ ଦ୍ୱିତୀୟ ଇନିଂସରେ ୯୪ ରନ୍‌ କରିଥିଲେ। ତାଙ୍କ ଦ୍ୱିଶତକ ପାଳିରେ ୨୨ ଚୌକା ସାମିଲ ଥିଲା। ଏଥିଯୋଗୁ ପ୍ରଥମ ଇନିଂସରେ ଦଳ ୭ ଉଇକେଟ ହରାଇ ୩୭୨ ରନ୍‌ କରିଥିଲା। ଜବାବରେ ପ୍ରତିପକ୍ଷ ଧାନଓ୍ବାଡ ଜୋନ ମାତ୍ର ୧୨୪ ରନ୍‌ରେ ସୀମିତ ରହିଥିଲା। ବ୍ୟାଟିଂ ଭଳି ବୋଲିଂରେ ମଧ୍ୟ ସମିତ ନିଜ ଦକ୍ଷତା ଦେଖାଇଛନ୍ତି। ସେ ୨୬ ରନ୍‌ ବ୍ୟୟ କରି ୩ ଉଇକେଟ ନେଇଥିଲେ। ନିଜ ବାପାଙ୍କ ଭଳି ସେ ମଧ୍ୟ ଅର୍ଥଡକ୍ସ ବ୍ୟାଟ୍ସମ୍ୟାନ। ଡ୍ରାଭିଡ ଅନ୍ତର୍ଜାତୀୟ କ୍ୟାରିୟରରେ ୧୬୪ ଟେଷ୍ଟ ଖେଳି ୫୨.୩୧ ହାରରେ ୧୩,୨୮୮ ରନ୍‌ କରିଥିଲେ। ଏବେ ସେ ଜାତୀୟ କ୍ରିକେଟ ଏକାଡେମୀର ନିର୍ଦ୍ଦେଶକ ଦାୟିତ୍ୱରେ ଅଛନ୍ତି।

Share