ଡ୍ରିମ୍‌ ଓ୍ବେଡିଂ ଚାହୁଁଛନ୍ତି ମଲାଇକା

ମୁମ୍ବାଇ: ବି-ଟାଉନର ଲଭ୍‌ ବାର୍ଡ ମଲାଇକା ଅରୋରା ଓ ଅର୍ଜୁନ କପୁର ସବୁବେଳେ ଚର୍ଚ୍ଚାରେ ରହୁଛନ୍ତି। ବହୁଥର ଏହି ଲଭ୍‌ ବାର୍ଡଙ୍କୁ ଏକାଠି ଦେଖିବାକୁ ମଧ୍ୟ ମିଳିଛି। ନିକଟରେ ଦୁହିଁଙ୍କର ମାଲଦ୍ୱୀପ ଓ ନ୍ୟୁୟର୍କରେ ଛୁଟି କଟାଇଥିବାର କିଛି ଫଟୋ ଭାଇରାଲ ହୋଇଥିଲା। ଯାହାକୁ ପ୍ରଶଂସକ ବେଶ୍‌ ପସନ୍ଦ କରିଥିଲେ। ଗତ କିଛି ଦିନରୁ ଦୁହିଁଙ୍କ ବିବାହକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଏହାକୁ ନେଇ ପୂର୍ବରୁ ଏହି କପୁଲ ଖଣ୍ଡନ କରିସାରିଛନ୍ତି। ଇତିମଧ୍ୟରେ ଏବେ ନିଜ ବିବାହକୁ ନେଇ ମଲାଇକା ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ଅର୍ଜୁନଙ୍କ ସହ ସେ ଡ୍ରିମ୍‌ ଓ୍ବେଡିଂ କରିବାକୁ ଚାହୁଁଛନ୍ତି। ନେହା ଧୂପିଆଙ୍କ ଚିଟ୍‌ଚାଟ ଶୋ’ରେ ମଲାଇକା ଅର୍ଜୁନଙ୍କ ସହ ଡ୍ରିମ୍‌ ଓ୍ବେଡିଂ ବିଷୟରେ ଆଲୋଚନା କରିଥିଲେ। ସମୁଦ୍ରକୂଳରେ ଏକ ହ୍ବାଇଟ ଓ୍ବେଡିଂ କରିବାକୁ ଚାହୁଁଥିବା ବେଳେ ବିବାହ ଦିନ ସେ ଏଲି ସାବ ଗାଉନ ପିନ୍ଧିବେ ବୋଲି କହିଛନ୍ତି। ଏଥିସହ ତାଙ୍କ କନ୍ୟାଯାତ୍ରୀରେ ବ୍ରାଇଡ୍ସମେଡ ସାମିଲ ହେବେ। ହ୍ବାଇଟ ଓ୍ବେଡିଂ ଓ ବ୍ରାଇଡ୍ସମେଡ କନସେପ୍ଟ ତାଙ୍କୁ ବେଶ୍‌ ପସନ୍ଦ ବୋଲି ମଲାଇକା କହିଛନ୍ତି। କେବଳ ସେତିକି ନୁହେଁ ଏହି ଶୋ’ରେ ସେ ଅର୍ଜୁନଙ୍କ ବିଷୟରେ ମଧ୍ୟ କଥାବାର୍ତ୍ତା କରିଛନ୍ତି। ସେ କହିଛନ୍ତି, ସବୁବେଳେ ଅର୍ଜୁନ ଭାବନ୍ତି ମଲାଇକା ତାଙ୍କର ଭଲ ଫଟୋ କ୍ଲିକ କରନ୍ତି ନାହିଁ। କିନ୍ତୁ ଅର୍ଜୁନ ସବୁବେଳେ ମଲାଇକାଙ୍କ ଭଲ ଫଟୋ ଉଠାନ୍ତି।

Share