Categories: ମେଟ୍ରୋ

ଡ୍ରେନ୍‌ ସଫେଇକୁ ପଦାରେ ପକାଇଲା ବର୍ଷା : ବଡ଼ଦାଣ୍ଡ, ବେଳାଭୂମି ରାସ୍ତାରେ ଜମିଲା ପାଣି

ପୁରୀ ଅଫିସ, ୨୬।୭ : ରଥଯାତ୍ରା ପୂର୍ବରୁ ଜିଲା ପ୍ରଶାସନ ଡ୍ରେନ୍‌ ସଫେଇକୁ ଏକପ୍ରକାର ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଥିଲା। ଖୋଦ୍‌ ଜିଲାପାଳ ଏହି ଦାୟିତ୍ୱ ନିଜ କାନ୍ଧକୁ ନେଇ ସଫେଇ କାର୍ଯ୍ୟକୁ ତ୍ୱରାନ୍ବିତ କରିଥିଲେ। ବାହାର ଜିଲାରୁ ସଫେଇ କର୍ମଚାରୀଙ୍କୁ ଅଣାଯାଇ ସହରର ବିଭିନ୍ନ ଡ୍ରେନ୍‌ ସଫା କରାଯାଇଥିଲା। ପ୍ରଶାସନିକ ଅଧିକାରୀମାନଙ୍କୁ ଏହାର ତଦାରଖ ଦାୟିତ୍ୱ ଦିଆଯାଇଥିଲା। ରଥଯାତ୍ରା ପୂର୍ବରୁ ସହରର ସବୁ ଛୋଟ ବଡ ଡ୍ରେନ୍‌ ସଫା କରାଯାଇଥିବା କୁହାଗଲା। ହେଲେ ଗୁରୁବାର ହୋଇଥିବା ବର୍ଷା ଡ୍ରେନ୍‌ ସଫେଇର ବାସ୍ତବତାକୁ ପଦାରେ ପକାଇଛି। ବଡ଼ଦାଣ୍ଡଠୁ ଆରମ୍ଭ କରି ବେଳାଭୂମି ରାସ୍ତା ସବୁଠି ବର୍ଷାପାଣି ଜମିଛି।
ଭୋରୁ ବର୍ଷା ଆରମ୍ଭ ହୋଇଥିଲା। ପୂର୍ବାହ୍ନ ୧୧ଟାରୁ ପ୍ରାୟ ୧ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ପ୍ରବଳ ବର୍ଷା ହୋଇଥିଲା। ଏଥିଯୋଗୁ ସବୁ ରାସ୍ତାଘାଟ ଜଳମଗ୍ନ ହୋଇଯାଇଥିଲା। ବିଶେଷକରି ବଡଦାଣ୍ଡର ସ୍ଥିତି ଅଧିକ ସଙ୍ଗିନ ହୋଇପଡ଼ିିଥିଲା। ବର୍ଷା ପାଣି ସହ ଡ୍ରେନ୍‌ ପାଣି ମିଶି ରାସ୍ତାରେ ସୁଅ ଛୁଟିଥିଲା। ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ ଜମା ହୋଇ ରହିଥିବା ଆବର୍ଜନା ରାସ୍ତାସାରା ଭାସିଥିଲା। କେତେକ ସ୍ଥାନରେ ଡ୍ରେନ୍‌ ଚୋକ୍‌ ହୋଇଯିବାରୁ ନଳାପାଣି ଉଦ୍‌ବୃତ୍ତ ହୋଇଥିଲା। ମେଡିକାଲ ଛକରେ ପ୍ରାୟ ଦେଢ ଫୁଟ ଉଚ୍ଚର ପାଣି ଜମିଯାଇଥିଲା। ସେହିପରି ଶରଧାବାଲିରେ ବର୍ଷା ପାଣିର ସୁଅ ଦେଖିବାକୁ ମିଳିଥିଲା। କେବଳ ବଡଦାଣ୍ଡ ନୁହେଁ, ସହରର ପ୍ରାୟ ଅଧିକାଂଶ ରାସ୍ତାରେ ପାଣି ଜମିରହିଥିଲା।

Share