ଡ୍ରେନ୍‌ ସମ୍ପ୍ରସାରଣ ପାଇଁ ନକ୍‌ସା ପ୍ରସ୍ତୁତ ଅନୁଦାନ ଆସିଲେ ଜମି ଅଧିଗ୍ରହଣ ହେବ

ଭୁବନେଶ୍ୱର, ୧୯ା୧୧(ବ୍ୟୁରୋ): ଅସରାଏ ବର୍ଷା ହେଲେ ରାଜଧାନୀ ହୋଇଯାଏ ଜଳମଗ୍ନ। ଜଳ ନିଷ୍କାସନର ସୁବ୍ୟବସ୍ଥା ନ ଥିବାରୁ ପ୍ରତିବର୍ଷ ଜଳବନ୍ଦି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ରାଜଧାନୀବାସୀ। ତେବେ ଏହି ସମସ୍ୟାକୁ ଦୂର କରିବା ଲାଗି ବିଏମ୍‌ସି ପକ୍ଷରୁ ‘ଡ୍ରେନ୍‌ ବିକାଶ ଯୋଜନା’ ଆରମ୍ଭ କରାଯାଇଛି। ଏହି ଯୋଜନାରେ ସହର ମଧ୍ୟ ଦେଇ ଗଙ୍ଗୁଆ ନାଳରେ ମିଶିଥିବା ୧୩ ପ୍ରାକୃତିକ ନାଳର ବିକାଶକୁ ଗୁରୁତ୍ୱ ଦିଆଯାଇଛି। ଏନେଇ ବିଏମ୍‌ସି ଡ୍ରେନେଜ୍‌ ଡିଭିଜନ୍‌ ପକ୍ଷରୁ ବ୍ଲ୍ୟୁ-ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ ହୋଇସାରିଛି। ଯୋଜନା ବର୍ତ୍ତମାନ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରାଯୁକ୍ତିକ ସମୀକ୍ଷା ଅଧୀନରେ ରହିଛି। ପ୍ରସ୍ତାବ ମଞ୍ଜୁର ହୋଇ ଅନୁଦାନ ଆସିବା କ୍ଷଣି ବିଏମ୍‌ସି ଡ୍ରେନ୍‌ର ବିକାଶ ପାଇଁ ଆବଶ୍ୟକ ଘରୋଇ ଜମି ଅଧିଗ୍ରହଣ କରିବ ବୋଲି ସୋମବାର ପ୍ରକାଶିତ ଏକ ପ୍ରେସ୍‌ ବିବୃତ୍ତିରୁ ଜଣାପଡ଼ିଛି।
ସୂଚନାନୁଯାୟୀ, ମୋଟ ୬୧.୪୩୮ ଏକର ଜମିକୁ ବିଏମ୍‌ସି ଡ୍ରେନ୍‌ ସମ୍ପ୍ରସାରଣ ପାଇଁ ଅଧିଗ୍ରହଣ କରିବ, ଯାହା ସହରର ୧୩ ପ୍ରାକୃତିକ ନାଳଗୁଡ଼ିକୁ ଆହୁରି ପ୍ରଶସ୍ତ କରିବ। ଫଳରେ ବର୍ଷାଜଳ ଓ ଦୈନିକ ନିଷ୍କାସିତ ହେଉଥିବା ବର୍ଜ୍ୟ ସହଜରେ ଗଙ୍ଗୁଆରେ ମିଶିପାରିବ। ଏନେଇ ବିଏମ୍‌ସି ୭୫୩କୋଟି ବ୍ୟୟବରାଦ ରଖିଥିବାବେଳେ ମୋଟ ୬୫.୬୨୧ କିଲୋମିଟର ରାସ୍ତାରେ ଏହି ଜମି ଅଧିଗ୍ରହଣ କରାଯିବ। ତେବେ ଟ୍ରାନ୍ସଫରେବଲ ଡେଭଲପ୍‌ମେଣ୍ଟ ରାଇଟ୍‌ସ (ଟିଡିଆର୍‌) ଆକ୍ଟ-୨୦୧୫ କିମ୍ବା ସିଧାସଳଖ କ୍ରୟ ପ୍ରକ୍ରିୟା ଦେଇ ଜମି ଅଧିଗ୍ରହଣ ସମ୍ଭବ ବୋଲି ବିଏମ୍‌ସି କହିଛି। ପ୍ରସ୍ତାବ ମଞ୍ଜୁର ହୋଇ ଅନୁଦାନ ଆସିବାମାତ୍ରେ କର୍ତ୍ତୃପକ୍ଷ ଜମି ଅଧିଗ୍ରହଣ କରି କାର୍ଯ୍ୟ ଆରମ୍ଭ କରିବେ ବୋଲି ପ୍ରେସ୍‌ ବିବୃତ୍ତିରେ ପ୍ରକାଶ ପାଇଛି।

Share