ଡ୍ରୋନ୍‌ ପଞ୍ଜୀକରଣ ପାଇଁ ଶେଷ ସୁଯୋଗ:୩୧ ପରଠାରୁ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର, ୧୪-୧(ବ୍ୟୁରୋ):ଏଣିକି ମନଇଚ୍ଛା ଆଉ ଉଡ଼ିପାରିବନି ଡ୍ରୋନ୍‌।ଏପରି କି ବିନା ପଞ୍ଜୀକରଣରେ ବେଆଇନ ଭାବେ ଡ୍ରୋନ୍‌ ପାଖରେ ରଖିଲେ ଓ ବିନାନୁମତିରେ ଉଡ଼ାଣ କଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ଏଥିପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦେଶରେ ରହିଥିବା ଘରୋଇ ବା ବେସାମରିକ(ସିଭିଲ) ଡ୍ରୋନ୍‌ଗୁଡ଼ିକର ପଞ୍ଜୀକରଣ ପାଇଁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସୁଯୋଗ ଦେଇଛି। ଯେଉଁମାନେ ଡ୍ରୋନ୍‌ ରଖିଛନ୍ତି, ସେମାନେ ଭୟ କିମ୍ବା କୌଣସି ଆଶଙ୍କା ନ କରି ସ୍ବେଚ୍ଛାକୃତ ଭାବେ ଜଣାଇବାକୁ ମନ୍ତ୍ରଣାଳୟ ସୋମବାର ସୂଚନା ଜାରି କରିବା ସହ ଏହାପରଠାରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ ବୋଲି ଚେତାବନୀ ଦେଇଛି। ଏଥିପାଇଁ ମନ୍ତ୍ରଣାଳୟ ପକ୍ଷରୁ ଏକ ଅନ୍‌ଲାଇନ୍‌ ଲିଙ୍କ୍‌ ଜାରି କରାଯାଇଛି। ୧୪ ଜାନୁୟାରୀରୁ ୩୧ ତାରିଖ ମଧ୍ୟରେ ବେଆଇନ ଡ୍ରୋନ୍‌ ଓ ପରିଚାଳକଙ୍କ ସମ୍ପର୍କରେ ଉକ୍ତ ଲିଙ୍କ୍‌ (httsps://digitalsky.dgca.gov.in)ରେ ଜଣାଇବାକୁ କୁହାଯାଇଛି। ଏହାପରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ)ର ଗାଇଡ୍‌ଲାଇନ୍‌ ଅନୁସାରେ ଆବଶ୍ୟକ ଯାଞ୍ଚ୍‌ କରାଯାଇ ଡ୍ରୋନ୍‌ ପଞ୍ଜୀକରଣ କରାଯିବ। ଏଥିସହ ପରିଚାଳକଙ୍କୁ ୟୁନିକ୍‌ ଆଇଡେଣ୍ଟିଫିକେଶନ (ୟୁଆଇଏନ୍‌) ନମ୍ବର ଓ ଅନମ୍ୟାନ୍‌ଡ ଏୟାରକ୍ରାଫ୍ଟ ଅପରେଟର ପରମିଟ୍‌ (ୟୁଏଓପି) ମିଳିବ। ସେହିପରି ଡ୍ରୋନ୍‌ ଆକ୍‌ନଲେଜମେଣ୍ଟ ନମ୍ବର (ଡିଏଏନ୍‌) ଓ ଅପରେଟର ଆକ୍‌ନଲେଜମେଣ୍ଟ ନମ୍ବର (ଓଏଏନ୍‌) ମଧ୍ୟ ପ୍ରଦାନ କରାଯିବ। ଏହାପରେ ସିଭିଲ ଆଭିଏଶନ ରେଗୁଲେଶନ (ସିଏଆର୍‌) ନିୟମ ଆଧାରରେ ଡ୍ରୋନ୍‌ ଉଡ଼ାଣ ପାଇଁ ଅନୁମତି ମିଳିବ। ବିନା ଡିଏଏନ ଓ ଓଏଏନରେ ଡ୍ରୋନ୍‌ ଉଡ଼ାଣ କଲେ ଆଇନ୍‌ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭାରତରେ ମାତ୍ରାଧିକ ବେସାମରିକ ଡ୍ରୋନ୍‌ର ବ୍ୟବହାର ହେଉଥିବା ଓ ଏହା ଦେଶର ସୁରକ୍ଷା ତଥା ବିମାନ ଚଳାଚଳରେ ସମସ୍ୟା ସୃଷ୍ଟିର ଆଶଙ୍କା କରି ମନ୍ତ୍ରଣାଳୟ ଏପରି ନିଷ୍ପତ୍ତି ନେଇଛି।

Share