Categories: ଜାତୀୟ

ଡ୍ରୋନ୍‌ ବିକ୍ରି ପାଇଁ ହାଲ୍‌-ଇସ୍ରାଏଲ କମ୍ପାନୀ ଏମ୍‌ଓୟୁ

ଲକ୍ଷ୍ନୌ,୬ା୨(ଆଇଏଏନ୍‌ଏସ୍‌): ଡ୍ରୋନ୍‌ ନିର୍ମାଣ ଓ ବିକ୍ରି ଲାଗି ରାଷ୍ଟ୍ରାୟତ୍ତ ଏରୋସ୍ପେସ୍‌ ଓ ପ୍ରତିରକ୍ଷା କମ୍ପାନୀ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍‌(ହାଲ୍‌) ଇସ୍ରାଏଲର ଏକ କମ୍ପାନୀ ସହ ବୁଝାମଣାପତ୍ର (ଏମ୍‌ଓ) ସ୍ବାକ୍ଷର କରିଛି। ଡିଫେନ୍ସ ଏକ୍ସପୋ ୨୦୨୦ ଅବସରରେ ବୁଧବାର ହାଲ୍‌ ଇସ୍ରାଏଲ୍‌ ଏରୋସ୍ପେସ୍‌ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ (ଆଇଏଆଇ) ଏବଂ ବେଙ୍ଗାଲୁରୁସ୍ଥିତ ଡାଇନାମିକ୍‌ ଟେକ୍‌ନୋଲୋଜିଜ୍‌ ଲିମିଟେଡ୍‌ (ଡିଟିଏଲ୍‌) ସହ ଏମ୍‌ଓୟୁ ସ୍ବାକ୍ଷର କରିଥିବା ଜଣାପଡିଛି। ଏହି ମିଳିତ ଉଦ୍ୟମ ହାଲ୍‌କୁ ପ୍ରତିରକ୍ଷା ସରଞ୍ଜାମ ବିକ୍ରି ବଢ଼ାଇବା ସହ ଗୁରୁତ୍ୱପୂର୍ଣ୍ଣ ଟେକ୍‌ନୋଲୋଜି ଆହରଣ କରିବା ଏବଂ ଦେଶରେ ଏରୋସ୍ପେସ୍‌ ବାତାବରଣକୁ ସମୃଦ୍ଧ କରିପାରିବାରେ ସହାୟକ ହୋଇପାରିବ ବୋଲି ଏହାର ସିଏମ୍‌ଡି ଆର୍‌. ମାଧବନ୍‌ କହିଛନ୍ତି। ଯୁଦ୍ଧ ସମେତ ଗୋଇନ୍ଦାଗିରି ଓ ସୈନ୍ୟ ସର୍ବେକ୍ଷଣ ଆଦି କୌଶଳଗତ ମିଶନରେ ଭାରତୀୟ ଡ୍ରୋନ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଆସିଛି। ଏଥିପାଇଁ ଅଗାମୀ ଦିନରେ ସେନାରେ ଅଧିକ ଡ୍ରୋନ୍‌ ସାମିଲ ହେବାକୁ ଯାଉଛି।

Share