ଡ୍ୟାନିଙ୍କ ନାମ ରଖିଥିଲେ ଜୟା ବଚ୍ଚନ: ସିକିମ୍‌ ରାଜକୁମାରୀଙ୍କୁ ଦୀର୍ଘ ଦିନ ପ୍ରେମ ପରେ କରିଥିଲେ ବିବାହ

ମୁମ୍ବାଇ: ବଲିଉଡ୍‌ ଖଳନାୟକ ଡ୍ୟାନି ଡେଞ୍ଜୋଙ୍ଗ୍‌ପା ମଙ୍ଗଳବାର ୭୨ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୪୮ ଫେବୃୟାରୀ ୨୫ରେ ସିକିମ୍‌ର ଗ୍ୟାଙ୍ଗଟକ୍‌ଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପ୍ରକୃତ ନାମ ଥେସରିଙ୍ଗ୍‌ ଫିଣ୍ଟୋସ୍‌ ଡେଞ୍ଜୋଙ୍ଗ୍‌ପା ଥିଲା। ଘରେ ମନାକରିବା ପରେ ମଧ୍ୟ ସେ ପୁଣେର ଫିଲ୍ମ ଇନଷ୍ଟିଚ୍ୟୁଟରେ ନାମ ଲେଖାଇଥିଲେ। ସେଠାରେ ସହପାଠୀ ନାମକୁ ନେଇ ତାଙ୍କୁ ଥଟ୍ଟା କରୁଥିଲେ। ସେତେବେଳେ ସେଠାରେ ଜୟା ଭାଦୁଡ଼ି ମଧ୍ୟ ପଢୁଥିଲେ। ଜୟା ତାଙ୍କ ନାମ ଡ୍ୟାନି ରଖିଥିଲେ। ଶୋଲେ ଫିଲ୍ମରେ ଗବ୍ବର ସିଂ ଭୂମିକା ପାଇଁ ସେ ରମେଶ ଶିପ୍ପିଙ୍କର ପ୍ରଥମ ପ୍ରସନ୍ଦ ଥିଲେ। ତେବେ ସେ ଫିରୋଜ ଖାଁଙ୍କ ଧର୍ମାତ୍ମା ଫିଲ୍ମ ଶୁଟିଂରେ ବ୍ୟସ୍ତ ଥିଲେ। ସେଥି ପାଇଁ ସେ ସମୟ ନ ଦେବାରୁ ରୋଲ୍‌ଟି ଅମଜାଦ୍‌ ଖାଁଙ୍କୁ ମିଳିଥିଲା। ଡ୍ୟାନିଙ୍କ ପୂରାନାମ ଥେସରିଂ ଫିଣ୍ଟୋସ୍‌ ଡେଞ୍ଜୋଙ୍ଗ୍‌ପା ଥିଲା। ସିକିମ୍‌ର ରାଜକୁମାରୀ ଗାଓ୍ବା ଡ୍ୟାନିଙ୍କ ଅଭିନୟ ଦକ୍ଷତାରେ ପାଗଳ ଥିଲେ। ଦୁଇଜଣଙ୍କ ମଧ୍ୟରେ ଦୀର୍ଘଦିନର ପ୍ରେମ ସମ୍ପର୍କ ଶେଷରେ ବିବାହରେ ପରିଣତ ହୋଇଥିଲା। ତେବେ ଡ୍ୟାନି ନିଜ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ବାହାରେ ପ୍ରକାଶ କରିବାକୁ ଚାହିଁ ନ ଥାନ୍ତି।

Share