Categories: ମେଟ୍ରୋ

ଡ୍ୟୁଟିବେଳେ ଟ୍ରାଫିକ ପୋଷ୍ଟରେ ଅନୁପସ୍ଥିତ ରହିବା ମହଙ୍ଗା ପଡ଼ିଲା

କଟକ ଅଫିସ, ୫।୯: ଭୁବନେଶ୍ୱର ରୁପାଲି ଛକରେ ଡ୍ୟୁଟିବେଳେ ଟ୍ରାଫିକ ପୋଷ୍ଟରେ ଅନୁପସ୍ଥିତ ରହି ନିଲମ୍ବିତ ହୋଇଥିବା ୨ଜଣ କନଷ୍ଟେବଳଙ୍କୁ ବୁଧବାର ଜିଲାପାର ବଦଳି କରାଯାଇଛି। ଡିଜିପି ବିଜୟ କୁମାର ଶର୍ମା ନିଲମ୍ବିତ ଟ୍ରାଫିକ କନଷ୍ଟେବଳ କାଳିଆସୁନା ବେହେରାଙ୍କୁ ସହରାଞ୍ଚଳ ପୋଲିସ ଜିଲାରୁ ସୁନ୍ଦରଗଡ ଓ ଓଏପିଏଫ୍‌ କନଷ୍ଟେବଳ ଅଜୟ କୁମାର ପ୍ରଧାନଙ୍କୁ ମାଲକାନଗିରିକୁ ବଦଳି କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱର ରୁପାଲି ଛକ ଟ୍ରାଫିକ ପୋଷ୍ଟରେ ଡ୍ୟୁଟି ପାଇଁ କାଳିଆ ଓ ଅଜୟଙ୍କୁ ନିୟୋଜିତ କରାଯାଇଥିଲା। ମାତ୍ର କାର୍ଯ୍ୟ ସମୟରେ ସେମାନେ ସେଠାରେ ଅନୁପସ୍ଥିତ ଥିଲେ। ଯେଉଁଥିପାଇଁ ଟ୍ରାଫିକ ସମସ୍ୟା ଉପୁଜିଥିଲା। ଟ୍ରାଫିକ ପୋଲିସଙ୍କ ଅନୁପସ୍ଥିତିରେ ଲୋକମାନେ ବେପରୁଆ ଭାବେ ଟ୍ରାଫିକ ନିୟମ ଭାଙ୍ଗି ଗାଡି ଚଳାଇଥିଲେ। ତେଣୁ ଦୀର୍ଘ ସମୟ ଧରି ସେଠାରେ ଟ୍ରାଫିକ ସମସ୍ୟା ଉପୁଜିଥିଲା। ଡ୍ୟୁଟି ସମୟରେ ଅନୁପସ୍ଥିତ ଥିବା ଯୋଗୁ ଗତ ୩ରେ ଡିସିପି ଅନୁପ କୁମାର ସାହୁ ଉଭୟଙ୍କୁ ନିଲମ୍ବିତ କରିଥିଲେ। ଏଭଳି ଦାୟିତ୍ୱହୀନତା ଓ କର୍ତ୍ତବ୍ୟରେ ଅବହେଳାକୁ ଡିଜିପି ଶର୍ମା ଗୁରୁତ୍ୱ ସହ ନେଇ ଉଭୟଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

Share