ଡ. ସୁରେନ୍ଦ୍ର ମିଶ୍ର ପାଇବେ ଗଙ୍ଗାଧର ବଳ ସ୍ମୃତି ସମ୍ମାନ

ପୁରୀ ଅଫିସ, ୧୭।୧୦: ଆସନ୍ତା ୧୯ ତାରିଖରେ କଟକସ୍ଥ ଶ୍ରୀରାମଚନ୍ଦ୍ର ଭବନରେ ଓଡ଼ିଶାର ସର୍ବପ୍ରାଚୀନ ସାହିତ୍ୟ -ସଂସ୍କୃତି ଅନୁଷ୍ଠାନ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ଗଙ୍ଗାଧର ବଳ ସ୍ମୃତି ସନ୍ଧ୍ୟା ଅନୁଷ୍ଠିତ ହେବ। ଏହି ଉତ୍ସବରେ ବିଶିଷ୍ଟ ସାରସ୍ବତ ସାଧକ ତଥା ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ରଙ୍କୁ ୨୦୧୯ ବର୍ଷର ପ୍ରଫେସର ଗଙ୍ଗାଧର ବଳ ସ୍ମୃତି ସମ୍ମାନ ପ୍ରଦାନ କରାଯିବ। ଡ. ମିଶ୍ର ବର୍ତ୍ତମାନ ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ରହିଛନ୍ତି। ସେ ଜଗନ୍ନାଥ ଚେତନାର ବହୁ ଅନାଲୋଚିତ ଦିଗ ଆଲୋଚନାସ୍ତରକୁ ଆଣିଛନ୍ତି। ଏଥିସହିତ ଓଡ଼ିଶାର ଅବଲୁପ୍ତ ଐତିହ୍ୟ ଏବଂ ମଧ୍ୟଯୁଗୀୟ ସାହିତ୍ୟକୁ ଚର୍ଚ୍ଚା ପରିସରକୁ ଆଣିବାରେ ସେ ଅନେକ ନୂତନ ପଦକ୍ଷେପ ନେଇଛନ୍ତି। ଏ ପର୍ଯ୍ୟନ୍ତ ତାଙ୍କ ଦ୍ୱାରା ରଚିତ ଓ ସମ୍ପାଦିତ ୧୦୦ରୁ ଅଧିକ ସଂସ୍କୃତ ଏବଂ ଓଡ଼ିଆ ପୁସ୍ତକ ରହିଥିବାବେଳେ ୩୦୦ରୁ ଊର୍ଦ୍ଧ୍ୱ ଗବେଷଣାତ୍ମକ ପ୍ରବନ୍ଧ ବିଭିନ୍ନ ଆଲୋଚନାଚକ୍ରରେ ପଠିତ ହୋଇ ପ୍ରକାଶିତ ହୋଇଛି।

Share