ଢାକା,୧୯ା୮(ଏଏଫ୍ପି): ବାଂଲାଦେଶ ରାଜଧାନୀ ଢାକାର ଏକ ଜନଗହଳିପୂର୍ଣ୍ଣ ବସ୍ତିରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି। ଫଳରେ ସେଠାରେ ବସବାସ କରୁଥିବା ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକ ବେଘର ହୋଇଛନ୍ତି। ମିରପୁର ବସ୍ତିରେ ପାଖାପାଖି ୨୦୦୦ ଝୁମ୍ପୁଡ଼ି ଘର ଥିଲା। ବିଳମ୍ବିତ ରାତିରେ ନିଆଁ ଲାଗିବାରୁ ଲୋକେ ଘରୁ କୌଣସି ଜିନିଷ ବାହାର କରିପାରି ନ ଥିଲେ। ଅଗ୍ନିକାଣ୍ଡରେ କେତେଜଣ ଆହତ ହୋଇଥିବା ଜଣାପଡିଛି। ବସ୍ତିର ଅଧିକାଂଶ ଲୋକ ପୋଷାକ କାରଖାନାରେ କାମ କରିଥାନ୍ତି। ସେମାନେ ପରିବାର ସହ ଇଦ୍ ପାଳନ ପାଇଁ ଗାଁକୁ ପଳାଇଥିବାରୁ ନିଆଁ ଲାଗିବା ବେଳେ ବସ୍ତିରେ ଖୁବ୍ କମ୍ ଲୋକ ଥିଲେ। ବାସହରା ହୋଇଥିବା ଲୋକମାନେ ବିଭିନ୍ନ ରିଲିଫ କ୍ୟାମ୍ପ୍ରେ ଆଶ୍ରୟ ନେଇଛନ୍ତି। କେତେକ ପଲିଥିନ୍ ତଳେ ରହିଛନ୍ତି। ସେମାନଙ୍କୁ ପ୍ରଶାସନ ପକ୍ଷରୁ ଖାଦ୍ୟ, ପାଣି, ଭ୍ରାମ୍ୟମାଣ ଶୌଚାଳୟ ଯୋଗାଇ ଦିଆଯାଇଛି।