Categories: ମେଟ୍ରୋ

ଢାଙ୍କୁଣୀ ନ ପକାଇ ବାଉଁଶ ବାନ୍ଧିଲା ବିଏମ୍‌ସି

ଭୁବନେଶ୍ୱର,୨୯।୭(ବ୍ୟୁରୋ) : ଜୟଦେବ ବିହାର ଭିଲ୍ଲା ଛକ ନିକଟ ଡ୍ରେନ୍‌ରେ ଗୁରୁବାର ଭାସିଯାଇ ସାଲିଆସାହି ଆଦିବାସୀ ଗାଁର ଟି. ଆକାମ୍ମାଙ୍କ ମୃତ୍ୟୁ ଘଟିଥିଲା। ପରେ ଢାଙ୍କୁଣୀ ନ ଥିବା ଖୋଲା ଡ୍ରେନକୁ ସିଲ୍‌ କରାଯାଇଛି। ଡ୍ରେନର ଚତୁଃପାର୍ଶ୍ୱରେ ସିମେଣ୍ଟ କଂକ୍ରେଟ ସ୍ଲାବ ଓ ଢାଙ୍କୁଣୀ ନ ପକାଇ ବାଉଁଶ ବନ୍ଧା ଯାଇଛି। ନୂଆ କରି ନିର୍ମିତ ହୋଇଥିବା କଲଭର୍ଟର ଦୁଇପାର୍ଶ୍ୱ ରାସ୍ତାକୁ କଲଭର୍ଟର ଉଚ୍ଚତା ସହ ସମାନ କରାଯାଇଛି। ଏହି ରାସ୍ତାକୁ ଯାତାୟାତ କରିବା ଭଳି ହୋଇଛି। ଗୁରୁବାର ଘଟିଥିବା ଦୁର୍ଘଟଣା ପରେ ବିଏମ୍‌ସିର ଚେତା ଉଦୟ ହୋଇଛି। ଉକ୍ତ ଡ୍ରେନକୁ ଶୀଘ୍ର ସିଲ କରିବା ଲାଗି ବିଧାୟକ ସୁଶାନ୍ତ ରାଉତ ବିଏମ୍‌ସି କମିଶନରଙ୍କ ସହ ଆଲୋଚନା କରିବା ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରାଥମିକ ଭାବେ ଦୁର୍ଘଟଣାରୁ ରକ୍ଷା ପାଇବା ଲାଗି ବିଏମ୍‌ସି ପକ୍ଷରୁ ଏ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଡ୍ରେନେଜ୍‌ ଇଞ୍ଜିନିୟର ପ୍ରଦୀପ ସାଗର ଦୁରିଆ କହିଛନ୍ତି। ତେବେ ଏ ପରିପ୍ରେକ୍ଷୀରେ ଶନିବାର ବିଏମ୍‌ସିର କେତେଜଣ ଅଧିକାରୀଙ୍କ ସହ ସାଲିଆସାହିରେ ଥିବା ୫ଟି ଓ୍ବାର୍ଡର ଓ୍ବାର୍ଡ ଅଫିସର ଉକ୍ତ ସ୍ଥାନକୁ ଗସ୍ତ କରିବା ସହ ଆବଶ୍ୟକ କାର୍ଯ୍ୟର ରିପୋର୍ଟ ଉପରୋକ୍ତ ରିପୋର୍ଟ ଦେଇଥିଲେ। ରିପୋର୍ଟ ପ୍ରଦାନ କରିବା ପରେ ବିଏମ୍‌ସି ପକ୍ଷରୁ ସେଠାରେ ପ୍ରଥମେ ବାଉଁଶ ବନ୍ଧା ଯାଇ ଯାତାୟାତ ନ କରିବା ଲାଗି ପ୍ରତିବନ୍ଧକ ଲଗାଯାଇଛି।
ଆଉ ଯେପରି ଅନ୍ୟ କେଉଁଠି ଦୁର୍ଘଟଣା ନ ଘଟିବ, ସେଥିପ୍ରତି ବିଏମ୍‌ସି ପକ୍ଷରୁ ଧ୍ୟାନ ଦିଆଯିବା ସହ ଏବେ ସହରର ପ୍ରତ୍ୟେକ ଡ୍ରେନରେ ସ୍ଲାବ ବା ଢାଙ୍କୁଣୀ ପଡ଼ିବ ବୋଲି ପ୍ରକାଶ ପାଇଛି। ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଖୋଲା ଡ୍ରେନ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଛି। ସିଟି ଇଞ୍ଜିନିୟର ଦେବ ସୁନ୍ଦର ମହାପାତ୍ର, ଡ୍ରେନେଜ ବିଭାଗୀୟ ଇଞ୍ଜିନିୟର ଦୁରିଆଙ୍କ ନେତୃତ୍ୱରେ ଏ ନେଇ କାର୍ଯ୍ୟ ଜାରି ରହିଛି ବୋଲି ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ସ୍ଲାବ ପଡ଼ିବା ଲାଗି କେତେ କ’ଣ ଖର୍ଚ୍ଚ ହେବ ସେନେଇ କିଛି ଆକଳନ କରାଯାଇ ନ ଥିବା ବେଳେ ସହରର କେତେ କିମି ଡ୍ରେନରେ ସ୍ଲାବ ପଡ଼ିବ ଜଣାପଡ଼ିବା ପରେ ବ୍ୟୟ ବରାଦ ସ୍ଥିର କରାଯିବ ବୋଲି ଉକ୍ତ ଅଧିକାରୀ ଜଣକ କହିଛନ୍ତି।
ଉଲ୍ଲେଖଥାଉ କି, ବିଏମ୍‌ସିର ଖାମଖିଆଲ ମନୋଭାବ ପାଇଁ ଗତ ଗୁରୁବାର ସାଲିଆସାହିରେ ବୃଦ୍ଧା ଟି. ଆକାମ୍ମାଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଭିଲ୍ଲା ଛକରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇବା ସହ ଲୋକେ ରାସ୍ତାରୋକୋ କରିଥିଲେ। ପରେ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ୨ଲକ୍ଷ ଓ ସ୍ଥାନୀୟ ବିଧାୟକ ଏକ ଲକ୍ଷ ୧୦ହଜାର ଟଙ୍କାର ସହାୟତା ପ୍ରଦାନ କରିଥିଲେ।

Share