ଢାବାରୁ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଗୋପାଳପୁର/କନିଷି(ଡି.ଏନ୍‌.ଏ.),୨୫ା୧୧- ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଗୋବିନ୍ଦନଗର ଗ୍ରାମସ୍ଥିତ ଶ୍ୟାମା ଢାବା ବାରଣ୍ଡାରୁ ରବିବାର ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ପୋଲିସ ଉଦ୍ଧାର କରିଛି। ସେ ହେଲେ ବ୍ରହ୍ମପୁର ମହାନଗର ଗୋଇଲୁଣ୍ଡି ଅଞ୍ଚଳର ନୀଳାଞ୍ଚଳ ମହାନ୍ତି (୩୩)।
ପ୍ରକାଶ ଯେ, ଶ୍ୟାମା ଢ଼ାବାର କର୍ମଚାରୀମାନେ ଶନିବାର ରାତିରେ କାମସାରି ଶୋଇଥିଲେ। ରବିବାର ସକାଳୁ ଜଣେ କର୍ମଚାରୀ ଉଠିବାପରେ ଢ଼ାବା ବାରଣ୍ଡାରେ ଥିବା ଏକ ଖଟଉପରେ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ପଡିଥିବା ଦେଖିଥିଲେ। ଏନେଇ ଗୋଳନ୍ଥରା ଥାନାକୁ ଖବର ଦିଆଯାଇଥିଲା। ଥାନା ଅଧିକାରୀ ବାବୁଲି ନାୟକ ଅନ୍ୟ ପୋଲିସ ଅଧିକାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ମୃତଦେହ ଜବତକରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଯାଇଥିଲା। ନଂ.୩୨/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି। ମୃତଦେହର ମୁଣ୍ଡ ଓ ଆଖିରେ ଗଭୀର କ୍ଷତ ଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି।
ଢାବାକୁ ନୀଳାଞ୍ଚଳ କିପରି ଆସିଲେ, ସେଠାରେ ତାଙ୍କର କିପରି ମୃତ୍ୟୁ ଘଟିଲା, ଢାବା କର୍ମଚାରୀମାନେ କିପରି ଘଟଣାସମ୍ପର୍କରେ କିଛି ଜାଣିପାରିଲେ ନାହିଁ ସେ ନେଇ ପୋଲିସ ତଦନ୍ତ ଚଳାଇଛି। ନୀଳାଞ୍ଚଳଙ୍କ ପରିବାର ଲୋକେ କହିବା ଅନୁଯାୟୀ, ସେ ନିଶା ସେବନ କରନ୍ତି ଓ କିଛିଦିନ ହେଲା ତାଙ୍କ ସ୍ବାସ୍ଥ୍ୟାବସ୍ଥା ମଧ୍ୟ ଭଲ ନ ଥିଲା। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ଠିକ୍‌ କାରଣ ଜଣାପଡିବ ବୋଲି ପୋଲିସ କହିଛି। ବ୍ୟବଚ୍ଛେଦ ପରେ ମୃତଦେହ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ।