ଢେଙ୍କାନାଳଯୋଡା ଶିଶୁଙ୍କ ଚିକିତ୍ସା ପାଇଁ ୭ ଜଣିଆ ଡାକ୍ତରୀ ଟିମ୍‌: ଇକୋ ଟେଷ୍ଟରୁ ଗୋଟିଏ ହୃତପିଣ୍ଡ ଜଣାପଡ଼ିଲା

କଟକ ଅଫିସ, ୨।୭- ଢେଙ୍କାନାଳ ଯୋଡାଶିଶୁଙ୍କ ଚିକିତ୍ସା ପାଇଁ କଟକ ଶିଶୁଭବନରେ ୭ ଜଣିଆ ଡାକ୍ତରୀ ଦଳ ଗଠିତ ହୋଇଛି। ଶିଶୁ ଶଲ୍ୟ ବିଭାଗର ବରିଷ୍ଠ ପ୍ରଫେସର ଡାକ୍ତର ହିରଣ୍ୟ ମହାନ୍ତିଙ୍କ ନେତୃତ୍ୱରେ ଗଠିତ ଏହି ଟିମ୍‌ରେ ଶିଶୁ ସର୍ଜରୀ ବିଭାଗର ଅନ୍ୟତମ ବରିଷ୍ଠ ପ୍ରଫେସର ଡା. ପି.କେ. ଜେନା, ମେଡିସିନ ବିଭାଗର ପ୍ରଫେସର ଅନିଲ ମହାନ୍ତି, ଶିଶୁରୋଗ ବିଭାଗର ପ୍ରଫେସର ଡା.ପି.କେ. ଜେନା, ଏସ୍‌ସିବି ହୃଦବକ୍ଷ ଶଲ୍ୟ ବିଭାଗର ମୁଖ୍ୟ ପ୍ରଫେସର ଡା. ମନୋଜ ପଟ୍ଟନାୟକ, ଡା. ଜ୍ୟୋତି ଚମ୍ପତିରାୟ ଓ ଡା. ମାନସ ଉପାଧ୍ୟାୟ ଏହି ଟିମ୍‌ରେ ଅଛନ୍ତି।

ମଙ୍ଗଳବାର ଏହି ଯୋଡ଼ା ଶିଶୁଙ୍କ ଇକୋ ପରୀକ୍ଷା କରାଯାଇଥିଲା। ପରୀକ୍ଷାରୁ ଉଭୟଙ୍କର ଗୋଟିଏ ହୃତ୍‌ପିଣ୍ଡ ଥିବା ଜଣାପଡ଼ିଛି। ଦିନେ କି ଦୁଇଦିନ ମଧ୍ୟରେ ଶିଶୁ ଦ୍ୱୟଙ୍କର ଏମ୍‌ଆର୍‌ଆଇ, ସିଟି ସ୍କାନ ସହିତ ଅନ୍ୟାନ୍ୟ ପରୀକ୍ଷା ନିରୀକ୍ଷା କରାଯିବ ବୋଲି ଶିଶୁଭବନ ଅଧୀକ୍ଷକ ପ୍ରଫେସର ଡା. ସରୋଜ ଶତପଥୀ ସୂଚନା ଦେଇଛନ୍ତି। ତେବେ ବର୍ତ୍ତମାନ ପରିସ୍ଥିତିରେ ଶିଶୁ ଦ୍ୱୟଙ୍କୁ ଶିଶୁଭବନର ନିୟୋନାଟାଲ ଇଣ୍ଟେନସିଭ କେୟାର ୟୁନିଟ୍‌ (ନିକୁ)ରେ ରଖି ଚିକିତ୍ସା କରାଯାଉଛି। ଉଭୟଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ଶିଶୁ ଦ୍ୱୟଙ୍କ ସମ୍ପର୍କରେ ମତ ଦେଇ ଟିମ୍‌ର ସଦସ୍ୟ ତଥା ଶିଶୁ ଶଲ୍ୟ ବିଭାଗର ବରିଷ୍ଠ ପ୍ରଫେସର ଡା. ପି.କେ. ଜେନା କୁହନ୍ତି, ଏଭଳି ଶିଶୁଙ୍କ କ୍ଷେତ୍ରରେ ମୃତ୍ୟୁ ହାର ୯୯ ପ୍ରତିଶତ ରହିଥାଏ। ତା’ ଅର୍ଥ ନୁହେଁ ଯେ ଚିକିତ୍ସା କରାଯିବ ନାହିଁ। ବର୍ତ୍ତମାନ ପରିସ୍ଥିତିରେ ଅପରେଶନ ସମ୍ଭବ ନୁହେଁ। ଏବେ ସେମାନଙ୍କର ବିଭିନ୍ନ ପରୀକ୍ଷା ନିରୀକ୍ଷା କରାଯାଇ ସେମାନଙ୍କୁ ବଞ୍ଚାଇ ରଖିବା ପାଇଁ ଚେଷ୍ଟା କରାଯିବ। ଅତି କମ୍‌ରେ ୬ ମାସ ପରେ ଯାହା କରାଯିବା କଥା କରାଯିବ। ଟିମ୍‌ର ଅନ୍ୟତମ ସଦସ୍ୟ ତଥା ଏସ୍‌ସିବି ହୃଦବକ୍ଷ ଶଲ୍ୟ ବିଭାଗର ମୁଖ୍ୟ ପ୍ରଫେସର ଡା. ମନୋଜ ପଟ୍ଟନାୟକ କୁହନ୍ତି, ପ୍ରାଥମିକ ପରୀକ୍ଷାରୁ ଶିଶୁ ଦ୍ୱୟଙ୍କର ଗୋଟିଏ ହୃତ୍‌ପିଣ୍ଡ ଥିବା ଜଣାପଡ଼ିଛି। ଗୋଟିଏ ହୃତପିଣ୍ଡରେ ଦୁଇ ଜଣ ବଞ୍ଚତ୍ବା କେବେ ବି ସମ୍ଭବ ନୁହେଁ। ଅନ୍ୟାନ୍ୟ ପରୀକ୍ଷା ନିରୀକ୍ଷା ରିପୋର୍ଟ ଦେଖିବା ପରେ ବାସ୍ତବରେ ଶିଶୁ ଦ୍ୱୟଙ୍କର ଅନ୍ୟାନ୍ୟ ଅଙ୍ଗ ପ୍ରତ୍ୟଙ୍ଗ ସମ୍ପର୍କରେ ସବିଶେଷ ଜଣାପଡ଼ିବ ବୋଲି ଡାକ୍ତର ପଟ୍ଟନାୟକ କହିଛନ୍ତି। ଅନ୍ୟପକ୍ଷରେ ଶିଶୁ ଦ୍ୱୟଙ୍କର ଗ୍ରହଣ ଖଣ୍ଡିଆ ଓ ତାଳୁ ଖଣ୍ଡିଆ ଥିବା ଜଣାପଡ଼ିଛି।

Share