ଢେଙ୍କାନାଳରେ ହିମାଚଳ ପ୍ରଦେଶ ଅଧିକାରୀ: ଛତୁ ଫାର୍ମ ବୁଲିଲେ, ଚାଷୀଙ୍କୁ ଉତ୍ସାହିତ କଲେ

ଢେଙ୍କାନାଳ ଅଫିସ, ୬ା୭ – ହିମାଚଳ ପ୍ରଦେଶ ସୋଲାନ ଛତୁ ଗବେଷଣା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ. ବେଦ ପ୍ରକାଶ ଶର୍ମା ଶୁକ୍ରବାର ଢେଙ୍କାନାଳ ଜିଲାରେ ଛତୁ ଚାଷ ଫାର୍ମ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସଦର ବ୍ଲକ ଲମ୍ବୋଦରପୁର ଗ୍ରାମର ବାସନ୍ତୀ ରାଉତ, ବିଜୟ କୁମାର ସାହୁ, ଇନ୍ଦିପୁରର ଯଶୋବନ୍ତି ପୃଷ୍ଟି, ଗୀତାଞ୍ଜଳି ପୃଷ୍ଟି, ଦିଲୀପ ମୁଦୁଲି, ଉଗ୍ରସେନ ସାହୁଙ୍କ ଛତୁଫାର୍ମ, ଛତୁ ମଞ୍ଜି ଉତ୍ପାଦନ ୟୁନିଟ୍‌ ଏବଂ ଢେଙ୍କାନାଳ ବସ୍‌ଷ୍ଟାଣ୍ଡସ୍ଥିତ ଆମ ଗାଁ ହାଟରେ ଥିବା ସୁଶାନ୍ତ ବେହେରାଙ୍କ ଛତୁ ପାର୍ଲର ବୁଲି ଦେଖିବା ସହ ଚାଷୀଙ୍କୁ ଉତ୍ସାହିତ କରାଇଥିଲେ।
ନିର୍ଦ୍ଦେଶକ ଶର୍ମା ଚାଷୀଙ୍କ ସହ ଆଲୋଚନା କରି ଛତୁ ଚାଷରେ ନୂତନ ଜ୍ଞାନକୌଶଳ ପ୍ରୟୋଗ କରିବାକୁ ପରାମର୍ଶ ଦେଇଥିଲେ। ତାଙ୍କ ସହ ଭୁବନେଶ୍ୱରସ୍ଥିତ ଛତୁ ଗବେଷଣା ପ୍ରକଳ୍ପର ଡ. ମିହିର କୁମାର ମିଶ୍ର, ସହକାରୀ ଅଧ୍ୟାପକ ନିରଞ୍ଜନ ଚିନ୍ନାରା ପ୍ରମୁଖ ଚାଷୀଙ୍କୁ ମାର୍ଗଦର୍ଶନ କରାଇଥିଲେ। ଶକ୍ତି ମହାଲକ୍ଷ୍ମୀ ସ୍ବୟଂ ସହାୟକ ଗୋଷ୍ଠୀ ତରଫରୁ ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଛତୁଚାଷୀ ସଂଘ ଜିଲା ଶାଖା ସଭାପତି କୁମୁଦ ଚନ୍ଦ୍ର ସାହୁ, ଚାଷୀ ଅନିଲ ପୃଷ୍ଟି, ଛତୁ ଚାଷ ଯନ୍ତ୍ରପାତି ନିର୍ମାତା ଗଣେଶ ସିଂ, ଓୟୁଏଟି ଛାତ୍ର ଜୟ ପ୍ରକାଶ ପୃଷ୍ଟି, ଓଡ଼ିଶା ଛତୁ ଉପତ୍ାଦନକାରୀ ମହାସଂଘର ପୂର୍ବତନ ସମ୍ପାଦକ ଅଜୟ କୁମାର ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ।