ନୂଆଦିଲ୍ଲୀ,୮ା୪: ସାରା ଦେଶରେ କରୋନା ଭୂତାଣୁର ବିଷମଞ୍ଜି ବୁଣିଥିବା ତବଲିଘି ଜମାତ୍ ମରକଜ୍ ମୁଖ୍ୟ ମହମ୍ମଦ ସାଦ୍ କାନ୍ଧଲଭିଙ୍କ ବିରୋଧରେ ମାମଲା ଦାଏର ହେବା ପରଠୁ ସେ ଫେରାର ଅଛନ୍ତି। ସେ କ୍ୱାରାଣ୍ଟାଇନ୍ରେ ଅଛନ୍ତି ଏବଂ ଆସନ୍ତା ୮-୯ ଦିନରେ ସାମ୍ନାକୁ ଆସିବେ। ମୌଲାନା ସାଦ୍ ତଦନ୍ତର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଥିବା ମଙ୍ଗଳବାର ତାଙ୍କ ଓକିଲ ସୂଚନା ଦେଇଛନ୍ତି। ଦିଲ୍ଲୀର ନିଜାମୁଦ୍ଦିନ ସେଣ୍ଟର ପକ୍ଷରୁ ଆୟୋଜିତ ଧର୍ମସଭା ଯୋଗୁ ଦେଶରେ ୧,୦୦୦ରୁ ଊର୍ଦ୍ଧ୍ୱ ଜଣ କରୋନା ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇଥିବା ଅଭିଯୋଗ ହୋଇଛି। ମୌଲାନା ଲକ୍ଡାଉନ୍ ନିୟମ ଉଲ୍ଲଂଘନ କରିଥିବାରୁ ତାଙ୍କ ବିରୋଧରେ ମାମଲା ଦାଏର କରାଯାଇଛି। ମୌଲାନା ଭୀରୁଙ୍କ ଭଳି ଲୁଚି ନାହାନ୍ତି ବୋଲି ତାଙ୍କ ଓକିଲ ତଉସିଫ୍ ଖାନ୍ କହିଛନ୍ତି।