Categories: ଗଞ୍ଜାମ

ତପ୍ତପାଣି ଘାଟିରେ ଓଲଟିଲା ବାଲିବୋଝେଇ ଟ୍ରାକ୍ଟର: ଲିଫ୍ଟ ମାଗି ବସିଥିବା ଯୁବକ ମୃତ

ଦିଗପହଣ୍ଡି,୨୪ା୭(ଡି.ଏନ.ଏ.)-ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିରେ ବାଲି ବୋଝେଇ ଟ୍ରାକ୍ଟର ଓଲଟି ଲିଫ୍ଟ ମାଗି ବସିଥିବା ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଟି. ଗୋବିନ୍ଦପୁର ପଞ୍ଚାୟତ ରାମପଲ୍ଲୀ ଗ୍ରାମର କୈଳାଶ ଗମାଙ୍ଗ। ପ୍ରକାଶ ଯେ, ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ମଳାଭଞ୍ଜା ନଦୀରୁ ବାଲି ବୋଝେଇ କରି ଟ୍ରାକ୍ଟର (ନଂ.ଓଆର୨୦-୭୪୮୬) ନାତ୍ରି ଗ୍ରାମକୁ ଯାଉଥିଲା। ରାସ୍ତାରେ କୈଳାଶ ରାମପଲ୍ଲୀ ଯିବାକୁ ଟ୍ରାକ୍ଟର ଚାଳକ ଓପିନା ଗମାଙ୍ଗଙ୍କୁ ଲିପ୍ଟ ମାଗି ବସିଥିଲେ। ରାଜନାପଲ୍ଲୀ ଘାଟି ରାସ୍ତା ଗଡ଼ାଣିରେ ଟ୍ରାକ୍ଟରଟି ନିୟନ୍ତ୍ରଣ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଓଲଟିବା ବେଳେ କୈଳାଶଙ୍କ ଉପରେ ଟ୍ରାକ୍ଟର ଚକା ଚଢି ଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ସାନଖେମୁଣ୍ଡି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚତ୍ ଆହତ ଟ୍ରାକ୍ଟର ଚାଳକଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପାଟପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଛି। ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟରକୁ ଜବତ କରି ପୋଲିସ ନଂ.୧୪୧/୧୯ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।