ତମ୍ବା ପାତ୍ରର ଖାଦ୍ୟ ଶରୀର ପାଇଁ କ୍ଷତିକାରକ

ବର୍ତ୍ତମାନ ଲୋକେ ଯେତେ ସ୍ବାସ୍ଥ୍ୟ ସଚେତନ ହୋଇଛନ୍ତି ପୂର୍ବରୁ ତାହା ଏତେଟା ନ ଥିଲା। ଏହା ସତ ହେଲେ ଏବେ ଅଧିକାଂଶ ଲୋକେ ବିଭିନ୍ନ ରୋଗର ଶିକାର ହେଉଛନ୍ତି। ତା’ର କାରଣ ହେଲା ପରିବେଶ ପ୍ରଦୂଷଣ ଓ ଆଧୁନିକ ଜୀବନଶୈଳୀ। ଏବେ ଅଧିକାଂଶ ଲୋକଙ୍କ ମୁହଁରୁ ଶୁଣିବାକୁ ମିଳେ ତମ୍ବା ପାତ୍ର ବ୍ୟବହାର ସ୍ବାସ୍ଥ୍ୟ ପାଇଁ ଭଲ। ତେଣୁ ତମ୍ବା ପାତ୍ରରେ ଲୋକେ ପାଣି ପିଇବା ମଧ୍ୟ ଅଭ୍ୟାସ ରଖିଛନ୍ତି। ହେଲେ ଏହି ତମ୍ବା ପାତ୍ର କେତେବେଳେ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ତାହା ହୁଏତ କେହି କେହି ଜାଣି ନ ଥିବେ। ବିଶେଷଜ୍ଞମାନେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି…
-ତମ୍ବା ପାତ୍ରରେ ପାଣି ପିଇବା ଭଲ। ହେଲେ ଏଥିରେ ଲେମ୍ବୁ ପାଣି ପିଇବା କ୍ଷତିକାରକ। କାରଣ ଲେମ୍ବୁରେ ଥିବା ସାଇଟ୍ରିକ୍‌ ଏସିଡ୍‌ ଶରୀର ପାଇଁ ଭଲ ହୋଇଥିବା ବେଳେ ଏହା ଯଦି ତମ୍ବା ସହ ମିଶିଯାଏ ତେବେ ଏହା ଶରୀରର କ୍ଷତି ଘଟାଇଥାଏ।
-ଦହିରେ ଥିବା ବ୍ୟାକ୍ଟେରିଆ ଲାକ୍ଟୋବେସିଲସ ପେଟ ସମସ୍ୟାକୁ ଠିକ୍‌ କରିଥାଏ। ହେଲେ ଦହିକୁ ଯଦି ତମ୍ବା ପାତ୍ରରେ ରଖାଯାଏ ତେବେ ଏହା ଶରୀର ଉପରେ ଓଲଟା ପ୍ରଭାବ ପକାଇଥାଏ।
-ଦହି, କ୍ଷୀର ଅବା କ୍ଷୀରରୁ ପ୍ରସ୍ତୁତ ଯେ କୌଣସି ଖାଦ୍ୟକୁ ଯଦି ତମ୍ବା ପାତ୍ରରେ ରଖି ଖିଆଯାଏ ତେବେ ବାନ୍ତି, ଡାଏରିଆ ଭଳି ସମସ୍ୟା ଦେଖାଦିଏ।
-ଆଚାରକୁ ତମ୍ବା ପାତ୍ରରେ ଖାଇବା କ୍ଷତିକାରକ। ଏହାର ଖଟା ଅଂଶ ତମ୍ବା ସଂସ୍ପର୍ଶରେ ଆସିଲେ ବିଷ ପାଲଟି ଯାଇଥାଏ। ଏହାକୁ ଖାଇଲେ ଶରୀରରେ ନାନା ରୋଗ ସୃଷ୍ଟି ହୋଇଥାଏ।