Categories: ଜାତୀୟ

ତମ୍ବୁ ବିବାଦରୁ ୬ ଘଣ୍ଟା ସଂଘର୍ଷ

ନୂଆଦିଲ୍ଲୀ,୧୮ା୬: ଗଲଓ୍ବାନ ନଦୀ ଉପତ୍ୟକାର ପାଟ୍ରୋଲିଂ ପଏଣ୍ଟ ୧୪ରେ ଏକ ଟେଣ୍ଟ ବା ତମ୍ବୁକୁ ନେଇ ବିବାଦର ସୂତ୍ରପାତ ହୋଇଥିଲା। ଚାହୁଁ ଚାହୁଁ ଏହା ରକ୍ତାକ୍ତ ସଂଘର୍ଷର ରୂପ ନେଇଥିଲା। ଉକ୍ତ ସ୍ଥାନରେ ଚାଇନା ପକ୍ଷରୁ ଏକ ଟେଣ୍ଟ ନିର୍ମାଣ କରାଯାଇଥିଲା। ପୂର୍ବରୁ ଅନୁଷ୍ଠିତ ଲ୍ୟୁଟ୍‌ନାଣ୍ଟ ଜେନେରାଲ ପାହ୍ୟା ଅଧିକାରୀଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ଚାଇନା ଉକ୍ତ ଟେଣ୍ଟକୁ ନିଜଆଡ଼ୁ କାଢ଼ିବା ପାଇଁ ରାଜି ହୋଇଥିଲା। ଟେଣ୍ଟକୁ ହଟାଇ ଶାନ୍ତି ପ୍ରତିଷ୍ଠା ପାଇଁ ସହମତି ସତ୍ତ୍ୱେ ଚାଇନା ତାକୁ ସେଠାରୁ କାଢ଼ି ନ ଥିଲା। ଫଳରେ ଭାରତୀୟ ପାଟ୍ରୋଲିଂ ପାର୍ଟି ସେଠାକୁ ଯାଇ ଉକ୍ତ ତମ୍ବୁକୁ ହଟାଇବା ପାଇଁ ଯାଇଥିଲେ। ପୂର୍ବରୁ ଅନେକ ଆଲୋଚନାର ନେତୃତ୍ୱ ନେଇଥିବା କଲୋନେଲ ସନ୍ତୋଷ ବାବୁଙ୍କ ନେତୃତ୍ୱରେ ଭାରତୀୟ ଯବାନମାନେ ଯାଇଥିବାବେଳେ ସେପଟେ ଟେକାପଥର, ଲୁହାରଡ୍‌ ଓ ଲାଠି ଧରି ଜଗିଥିଲେ ଚାଇନା ସୈନ୍ୟ। ଭାରତୀୟ ଯବାନମାନେ ସୋମବାର ଅପରାହ୍ନରେ ସେଠାରେ ପହଞ୍ଚତ୍ବା ପରେ ପିଏଲ୍‌ଏ ସୈନ୍ୟ ସେମାନଙ୍କୁ ଆକ୍ରମଣ କରିଥିଲେ। ଭାରତୀୟ ଯବାନ ସେମାନଙ୍କୁ ଜବାବ ଦେଇଥିଲେ। ରାତିରେ ଆକ୍ରମଣ ଓ ପ୍ରତିଆକ୍ରମଣ ମଧ୍ୟରେ ଅନେକ ସୈନ୍ୟ ଗଲଓ୍ବାନ ନଦୀରେ ପଡ଼ି ନିଖୋଜ ହୋଇଯାଇଥିଲେ। ୬ ଘଣ୍ଟା ଧରି ଚାଲିଥିଲା ଏହି ସଂଘର୍ଷ। ଅତି ଥଣ୍ଡା ପାଗ ଓ ହାଇପୋଥେର୍ମିଆ ଯୋଗୁ ସ୍ଥିତି ଆହୁରି ଖରାପ ହୋଇଯାଇଥିଲା। ମଙ୍ଗଳବାର ସକାଳେ ସେନାକୁ ମିଳିଥିଲା କଲୋନେଲ ସନ୍ତୋଷ ବାବୁ ଓ ଅନ୍ୟ ଦୁଇଜଣ ଯବାନଙ୍କ ମୃତ୍ୟୁ ତଥା ୧୭ ଆହତ ହୋଇଥିବା ଖବର। ଶୂନ୍ୟ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରାରେ ଆହତ ଯବାନଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି।

ପାଟ୍ରୋଲିଂ ପଏଣ୍ଟ ନଂ.୧୪
ସମୁଦ୍ର ପତ୍ତନଠାରୁ ୧୫ ହଜାର ଫୁଟ୍‌ ଉଚ୍ଚତାରେ ରହିଛି ଲଦାଖର ଗଲଓ୍ବାନ ଉପତ୍ୟକା। ଏହି ଭୂଖଣ୍ଡର ପାଟ୍ରୋଲିଂ ପଏଣ୍ଟ ୧୪ରେ ସୋମବାର ଅପରାହ୍ନରୁ ୬ ଘଣ୍ଟା ଧରି ଚାଲିଥିଲା ଭାରତ ଓ ଚାଇନା ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ। ସଂଘର୍ଷ ବି ଏମିତି ସେମିତି ନୁହେଁ। ଦୁଇପକ୍ଷର ମୃତାହତ ସୈନ୍ୟଙ୍କ ସଂଖ୍ୟା ମିଶାଇଲେ ୬୩ରୁ ଅଧିକ। ୧୯୬୭ରେ ନାଥୁ ଲା’ରେ ହୋଇଥିବା ସଂଘର୍ଷରେ ଭାରତର ୮୦ ଯବାନ ଶହୀଦ ହୋଇଥିବାବେଳେ ଚାଇନାର ୩୦୦ରୁ ଊର୍ଦ୍ଧ୍ୱ ସୈନ୍ୟ ନିହତ ହୋଇଥିଲେ। ସେବେଠୁ ୫୩ ବର୍ଷ ମଧ୍ୟରେ ଏତେବଡ଼ ସଂଘର୍ଷ ଘଟି ନ ଥିଲା। ତେବେ କାହିଁକି ଘଟିଲା ଏତେ ବଡ଼ ଘଟଣା? ଭାରତର କେତେ ଯବାନ ଓ ପିଏଲ୍‌ଏର କେତେ ସୈନ୍ୟ ଥିଲେ? କେଉଁ ପରିସ୍ଥିତିରେ ଶହୀଦ ହୋଇଗଲେ ୨୦ ଭାରତୀୟ ଯବାନ? ଏପରି କିଛି ପ୍ରଶ୍ନ ଭାରତୀୟମାନଙ୍କ ମନକୁ ଆନ୍ଦୋଳିତ କରିବାରେ ଲାଗିଛି।

Share