ତରଳୁଛି ବରଫ

ଡ. ଜୟକୃଷ୍ଣ ପାଣିଗ୍ରାହୀ

ଜାତିସଂଘ ସୁରକ୍ଷା ପରିଷଦରେ ସମୁଦ୍ର ପତ୍ତନ ବୃଦ୍ଧି ଉପରେ ପ୍ରଥମ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଂଶଗ୍ରହଣ କରି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ କହିିଛନ୍ତି ଯେ, ସମୁଦ୍ର ଜଳ ପତ୍ତନ ବୃଦ୍ଧି ସମଗ୍ର ବିଶ୍ୱରେ କୋଟି କୋଟି ଲୋକଙ୍କ ନିମନ୍ତେ ‘ଅବାଞ୍ଛିତ’ ବିପଦ ସୃଷ୍ଟିର କାରଣ ପାଲଟିଛି। ବିଶ୍ୱ ଅର୍ଥନୈତିକ ଫୋରମ ‘ପ୍ରକୃତି ଏବଂ ଜଳବାୟୁ କେନ୍ଦ୍ର’ ପୂର୍ବାନୁମାନ କରିଛି ଯେ, ୨୧୦୦ ମସିହା ସୁଦ୍ଧା ସମୁଦ୍ର ପତ୍ତନରେ ବୃଦ୍ଧି ହେତୁ ଉପକୂଳବର୍ତ୍ତୀ ନିମ୍ନାଞ୍ଚଳରେ ଲୁଣିଜଳର ପ୍ରବେଶ ଏବଂ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ୪୧ କୋଟିରୁ ଅଧିକ ଲୋକ ବିପନ୍ନ ହେବେ। ଏପରି ଅନେକ ପ୍ରାକୃତିକ ବିପର୍ଯ୍ୟୟର ପ୍ରମୁଖ କାରଣ ହେଉଛି ବିଶ୍ୱତାପନ ପ୍ରଭାବରେ ମେରୁ ଅଞ୍ଚଳୀୟ ବରଫ ସିଟ୍‌ ଓ ପର୍ବତ ଶୃଙ୍ଗସ୍ଥ ହିମବାହ ସବୁ ତରଳିବାର ପରିଣାମ ଏବଂ ଉଷ୍ମତା ବୃଦ୍ଧି ଯୋଗୁ ସମୁଦ୍ର ଜଳର ବିସ୍ତାରଣ। ତାପମାତ୍ରା ବୃଦ୍ଧି ସମ୍ପ୍ରତି ଆଣ୍ଟାର୍କଟିକା ସମୁଦ୍ରରେ ରେକର୍ଡ ପରିମାଣରେ ବରଫାବୃତ ଅଞ୍ଚଳର ହ୍ରାସ ଘଟାଇଛି। ୟୁରୋପୀୟ ସ୍ପେସ୍‌ ଏଜେନ୍ସି ପ୍ରକାଶ କରିଛି, ଏବେ ଆଣ୍ଟାର୍କଟିକାର ବରଫାଞ୍ଚଳ ଧାରରୁ ଏକ ବିଶାଳ ବରଫଖଣ୍ଡ ୱେଡେଲ ସାଗରରୁ ପୃଥକ୍‌ ହୋଇ ୧୭୫ କି.ମି. ଲମ୍ବ, ୨୫ କି.ମି. ପ୍ରସ୍ଥର ପୃଥିବୀର ସର୍ବବୃହତ ଭାସମାନ ବରଫଖଣ୍ଡର ସୃଷ୍ଟି ହୋଇଛି। ଏପରି ଅନେକ ବୃହତ ଆଣ୍ଟାର୍କଟିକା ବରଫଖଣ୍ଡ ସୃଷ୍ଟି ବିଷୟରେ ବୈଜ୍ଞାନିକମାନେ ଉପଗ୍ରହ ଚିତ୍ରରୁ ଚିହ୍ନଟ କରୁଛନ୍ତି। ଅନ୍ୟ ଏକ ଆତଙ୍କ ସଞ୍ଚାରକାରୀ ରିପୋର୍ଟ ହେଉଛି , ଜର୍ମାନୀର ବରଫ ଆଚ୍ଛାଦିତ ଆଲ୍ପସ ପର୍ବତର ହିମବାହ ସବୁ ଏବେ ଆଶାତୀତ ଭାବରେ ତରଳୁଛି। ସର୍ବଶେଷ ତଥ୍ୟ ଦର୍ଶାଏ ଯେ ପୃଥିବୀର ଅନ୍ୟ ସ୍ଥାନ ତୁଳନାରେ ଉତ୍ତର ମେରୁସ୍ଥ ଆର୍କଟିକ ଅଞ୍ଚଳ ତିନି ଗୁଣ ଦ୍ରୁତ ବେଗରେ ଉତ୍ତପ୍ତ ହେଉଛି, ଯାହା ଆଗାମୀ ଦିନରେ ସମ୍ପୂର୍ଣ୍ଣ ବରଫ ଶୂନ୍ୟ ହେବାର ଆଶଙ୍କା ସୃଷ୍ଟି କରୁଛି।
ପୃଥିବୀର ପ୍ରାୟ ୨,୨୦,୦୦୦ ସଂଖ୍ୟାର ସମସ୍ତ ପାର୍ବତ୍ୟାଞ୍ଚଳସ୍ଥ ହିମବାହ ଉପରେ ଉପଲବ୍ଧ ଉପଗ୍ରହ ତଥ୍ୟକୁ ନେଇ ନେଚର୍‌ ପତ୍ରିକା ଏକ ଗବେଷଣା ନିବନ୍ଧ ପ୍ରକାଶ କରିଛି । ଏଥିରେ ଦର୍ଶାଇଛି ଯେ,୧୫ ବର୍ଷ ପୂର୍ବ ତୁଳନାରେ ଏବେ ପ୍ରତିବର୍ଷ ୩୧ ପ୍ରତିଶତ ଅଧିକ ହାରରେ ହିମବାହ ଏବଂ ବରଫସବୁ ତରଳି ଯାଉଛନ୍ତି। ବିଶ୍ୱରେ ତରଳୁଥିବା ବରଫର ଅର୍ଦ୍ଧେକ ହିଁ ଆମେରିକା ଓ କାନାଡାରେ ଘଟୁଛି, ଏବଂ ଆଲାସ୍କାର ତରଳିବା ହାର ହେଉଛି ସର୍ବାଧିକ। ବରଫ ତରଳି ଜଳରେ ପରିଣତ ହେବା ପରିଣାମରେ ୧୯୯୩ ପରଠାରୁ ବିଶ୍ୱର ହାରାହାରି ସମୁଦ୍ର ପତ୍ତନ ପ୍ରତିବର୍ଷ ପ୍ରାୟ ୩ ମିମିରୁ କିଛି ଅଧିକ ହାରରେ ବୃଦ୍ଧିପାଇ ଏପର୍ଯ୍ୟନ୍ତ ଦ୍ୱିଗୁଣିତ ହେଲାଣି। ବିଶ୍ୱ ପାଣିପାଗ ସଂଗଠନର ‘୨୦୨୨ରେ ବିଶ୍ୱ ଜଳବାୟୁର ପରିସ୍ଥିତି’ ଉପରେ ପ୍ରସ୍ତୁତ ଅସ୍ଥାୟୀ ରିପୋର୍ଟ ଅନୁଯାୟୀ ଜାନୁୟାରୀ ୨୦୨୦ ଠାରୁ ଏହା ପ୍ରାୟ ୧୦ ମିମି ହାରରେ ବୃଦ୍ଧି ପାଇ ୨୦୨୨ରେ ଏକ ନୂତନ ରେକର୍ଡ ସ୍ତରକୁ ଆସିଛି। ୧୮୮୦ରେ ରେକର୍ଡ ହେବା ଆରମ୍ଭ ପରଠାରୁ ବିଶ୍ୱ ସମୁଦ୍ର ପତ୍ତନରେ ଏପର୍ଯ୍ୟନ୍ତ ପ୍ରାୟ ୨୧ ସେମି ବୃଦ୍ଧି ଘଟିଛି। ଯେଉଁ ଦ୍ରୁତ ଗତିରେ ଗ୍ରୀନ୍‌ଲାଣ୍ଡ ବରଫ ସିଟ୍‌ ତରଳୁଛି, ତାହା ବର୍ତ୍ତମାନର ସମୁଦ୍ର ପତ୍ତନର ୨୦% ବୃଦ୍ଧିର କାରଣ ବୋଲି ଉଡ୍ସ ହୋଲ ଓସେନୋଗ୍ରାଫିକ ଅନୁଷ୍ଠାନ ବ୍ୟକ୍ତ କରିଛି। ବିଶ୍ୱ ଜଳବାୟୁ ଢାଞ୍ଚାର ଏପରି ନକାରାତ୍ମକ ପରିବର୍ତ୍ତନ ପ୍ରାକୃତିକ ପରିସଂସ୍ଥା ଏବଂ ଜୀବଜଗତ ଉପରେ ପ୍ରଭାବ ବିସ୍ତାର କରୁଛି।
ତାପମାତ୍ରା ବୃଦ୍ଧି ଏବଂ ବରଫ ତରଳିବା ପୃଷ୍ଠଭୂମିରେ ଥିବା ପ୍ରମୁଖ କାରଣ ହେଉଛି ବିସ୍ଫୋରିତ ଜନସଂଖ୍ୟାର ବର୍ଦ୍ଧିତ ଆବଶ୍ୟକତା ପୂରଣ ତଥା ଶିଳ୍ପ ପ୍ରସାର, ଅର୍ଥନୈତିକ ପ୍ରଗତି ଏବଂ ଜୀବନଶୈଳୀରେ ପରିବର୍ତ୍ତନ ଦୃଷ୍ଟିରୁ ଶକ୍ତି ବ୍ୟବହାରରେ ଯଥେଷ୍ଟ ବୃଦ୍ଧି ଘଟିବା। ବର୍ଦ୍ଧିତ ଶକ୍ତି ଚାହିଦା ପୂରଣ ନିମନ୍ତେ କୋଇଲା, ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ପରି ଜୀବାଶ୍ମ ଇନ୍ଧନ ଉତ୍ସ ମୁଖ୍ୟ ଭୂମିକା ନିର୍ବାହ କରୁଛି। ଜୀବାଶ୍ମ ଇନ୍ଧନର ଦହନରେ ଅଙ୍ଗାରକାମ୍ଳ ପରି ସବୁଜଗୃହ ବାଷ୍ପ ବାୟୁମଣ୍ଡଳକୁ ନିର୍ଗତ ହେଉଛି, ଯାହା ବାୟୁମଣ୍ଡଳରେ ଜମିରହି ପୃଥିବୀର ତାପମାତ୍ରା ବୃଦ୍ଧିକରୁଛି। ୨୦୧୮ରେ ବିଶ୍ୱ ଅଙ୍ଗାରକାମ୍ଳ ନିର୍ଗମନର ୮୯% ଜୀବାଶ୍ମ ଇନ୍ଧନ ଏବଂ ଶିଳ୍ପ ଉତ୍ସରୁ ହିଁ ଉତ୍ପନ୍ନ ହୋଇଥିଲା। ଏପରି ଅପ୍ରାକୃତିକ, ମାନବୀୟ ପ୍ରକ୍ରିୟା ଦ୍ୱାରା ଉତ୍ତାପ ବୃଦ୍ଧି ଘଟି ପ୍ରାକ୍‌-ଶିଳ୍ପବିପ୍ଳବ ତୁଳନାରେ ସମ୍ପ୍ରତି ତାପମାତ୍ରା ହାରାହାରି ୧.୨ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇଲାଣି, ଯାହାର ପରିଣାମରେ ବିଶ୍ୱ ଜଳବାୟୁରେ ବିନାଶକାରୀ ବିପର୍ଯ୍ୟୟ ସଂଘଟିତ ହେଉଛି। ଜଳବାୟୁ ପରିବର୍ତ୍ତନ ଉପରେ କାର୍ଯ୍ୟରତ ଆନ୍ତଃ ସରକାରୀ ଗୋଷ୍ଠୀ (ଆଇପିସିସି)ର ଅନୁସନ୍ଧାନ ବ୍ୟକ୍ତ କରେ ଯେ ଜୀବାଶ୍ମ ଇନ୍ଧନରୁ ଉତ୍ସର୍ଜନ ହେଉଥିବା ବାଷ୍ପସବୁ ହିଁ ବିଶ୍ୱତାପନର କାରଣ। ଏହି କ୍ରମରେ ଏକ ଗମ୍ଭୀର ଘଟଣା ହେଉଛି ମହାସାଗର ଓ ସମୁଦ୍ର ଜଳ ପତ୍ତନର କ୍ରମବୃଦ୍ଧି, ଯାହା ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ କ୍ଷୁଦ୍ର ଦ୍ୱୀପ ରାଷ୍ଟ୍ରଗୁଡିକରେ ଆଗାମୀ ସମୟରେ ପ୍ରଳୟଙ୍କରୀ ପରିସ୍ଥିତି ସୃଷ୍ଟିର ସମ୍ଭାବନା ବହନ କରେ। ଭାରତ, ବାଂଲାଦେଶ, ଚାଇନା, ଇଜିପ୍ଟ, ନେଦରଲାଣ୍ଡ, ଆମେରିକା, ବ୍ରାଜିଲ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଏବଂ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପପୁଞ୍ଜ, ଯେପରିକି ଟୋଙ୍ଗା, ଟୁଭାଲୁ ଏବଂ ଫିଜି, ଅଧିକ ବିପଦପୂର୍ଣ୍ଣ ଦେଶଗୁଡ଼ିକ ମଧ୍ୟରେ ଅନ୍ତର୍ଭୁକ୍ତ।
ସମୁଦ୍ର ପତ୍ତନ ବୃଦ୍ଧି ଉପକୂଳ ଆର୍ଦ୍ରଭୂମି ଓ ନିମ୍ନାଞ୍ଚଳକୁ ଜଳମଗ୍ନ ତଥା ଉପକୂଳ ଅବକ୍ଷୟକୁ ତ୍ୱରାନ୍ବିତ କରୁଛି ଏବଂ ବନ୍ୟା ସୃଷ୍ଟିରେ ସହାୟକ ହେଉଛି; ଏହାଦ୍ୱାରା ସମୁଦ୍ର ତଟବର୍ତ୍ତୀ ସ୍ଥଳଭାଗ ଓ ନିକଟସ୍ଥ ଭୂତଳ ଜଳ ମଧ୍ୟକୁ ଲୁଣି ଜଳର ପ୍ରବାହରେ ବୃଦ୍ଧି ଘଟୁଛି। ଗୁଟେରସ ସତର୍କ କରିଛନ୍ତି ଯେ, ବଢ଼ୁଥିବା ସମୁଦ୍ର ପତ୍ତନର ପ୍ରଭାବ କ୍ରମଶଃ ଅଧିକ ଅସ୍ଥିରତା ଏବଂ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି। ଆଗକୁ ସମଗ୍ର ଜନସଂଖ୍ୟାର ଏକ ବିଶାଳ ଭାଗ ଉପକୂଳରୁ ସ୍ଥାନାନ୍ତରିତ ହେବା ପରି ଦୃଶ୍ୟର ଆମେ ମୂକସାକ୍ଷୀ ରହିବୁ ତଥା ମଧୁର ଜଳ, ଜମି ଏବଂ ଅନ୍ୟାନ୍ୟ ସମ୍ବଳ ଉପଲବ୍ଧି ନିମନ୍ତେ ତୀବ୍ର ପ୍ରତିଯୋଗିତା ମଧ୍ୟ ଦେଖିବୁ। ଏହା ଉପକୂଳରେ ଜଳ, ଖାଦ୍ୟ ଏବଂ ସ୍ବାସ୍ଥ୍ୟସେବାର ଉପଲବ୍ଧିକୁ ବିପଥଗାମୀ କରିବା ସହିତ ପରିବହନ ଓ ଯୋଗାଯୋଗ ବ୍ୟବସ୍ଥା, ବିଦ୍ୟୁତ ଯୋଗାଣ, ବନ୍ଦର, ସ୍ବାସ୍ଥ୍ୟସେବା ଏବଂ ଶିକ୍ଷାନୁଷ୍ଠାନ ପରି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିକୁ କ୍ଷତିଗ୍ରସ୍ତ କିମ୍ବା ସମ୍ପୂର୍ଣ୍ଣ ନଷ୍ଟ କରିପାରେ। ଲବଣାକ୍ତ ଜଳର ଅନୁପ୍ରବେଶ କୃଷି, ମତ୍ସ୍ୟଚାଷ ଏବଂ ପର୍ଯ୍ୟଟନ ଶିଳ୍ପଗୁଡିକର ସମଗ୍ର ଅର୍ଥନୀତିରେ ଅବନତି ଘଟାଇ ଏସବୁ କ୍ଷେତ୍ରରେ ନିଯୁକ୍ତି ସୁଯୋଗକୁ ସଂକୁଚିତ ଏବଂ ଜୀବନଜୀବିକାକୁ ବିପନ୍ନ କରିବ। ହେନ୍ତାଳ ବନ ପରି ଉପକୂଳ ପରିସଂସ୍ଥା ଓ ଏହାର ଜୈବବିବିଧତା କ୍ଷତିଗ୍ରସ୍ତ ହେବ। ପ୍ୟାରିସ ଚୁକ୍ତିନାମା (୨୦୧୫) ଅନୁଯାୟୀ ତାପମାତ୍ରା ବୃଦ୍ଧି ୧.୫ ଡିଗ୍ରୀରେ ଯଦି ସୀମିତ ହୋଇରହେ ତେବେ ମଧ୍ୟ ସମୁଦ୍ର ପତ୍ତନର ଏପରି ବୃଦ୍ଧି ଯଥେଷ୍ଟ କ୍ଷୟକ୍ଷତି ସାଧନ କରିବ॥
ଜୀବଜଗତ ଇତିହାସର ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ଉପଯୁକ୍ତ କାର୍ଯ୍ୟପନ୍ଥା ଗ୍ରହଣ ନିମନ୍ତେ ବିଶ୍ୱ ରାଜନୈତିକ ନେତୃବର୍ଗଙ୍କର ଦୃଢ଼ ପ୍ରତିବଦ୍ଧତା ଏକାନ୍ତ ଅପରିହାର୍ଯ୍ୟ। ବରଫ ଓ ହିମବାହ ତରଳିବା ସହିତ ସମୁଦ୍ର ପତ୍ତନ ବୃଦ୍ଧି ଏବଂ ଏହା ସହ ଜଡିତ ବିବିଧ ବିପର୍ଯ୍ୟୟ ଅଧିକ ଉଗ୍ର ହେବା ପୂର୍ବରୁ ଜୀବାଶ୍ମ ଇନ୍ଧନର ବ୍ୟବହାର ଏବଂ ଏଥିରୁ ନିର୍ଗତ ସବୁଜଗୃହ ବାଷ୍ପର ସର୍ବାଧିକ ହ୍ରାସ ଆମର ଈପ୍ସିତ ଲକ୍ଷ୍ୟ ହେବା ବାଞ୍ଛନୀୟ। ସ୍ବଚ୍ଛ, ଅକ୍ଷୟ ଶକ୍ତି ବ୍ୟବହାରକୁ ତ୍ୱରାନ୍ବିତ କରିବା ସହିତ ସବୁଜିମାର ବୃଦ୍ଧି ନିମନ୍ତେ ବୃକ୍ଷରୋପଣ ଏବଂ ବୈଷୟିକ ‘ଅଙ୍ଗାରକାମ୍ଳ ଅପସାରଣ’ କୌଶଳ ପରି ପ୍ରତ୍ୟକ୍ଷ ହ୍ରାସ ପଦ୍ଧତି ସବୁର ନିୟୋଜନ ଦୃଶ୍ୟପଟ୍ଟ ପରିବର୍ତ୍ତନରେ ସହାୟକ ହେବ।
ସମ୍ପାଦକ, ଓଡ଼ିଶା ପରିବେଶ ସମିତି, ଭୁବନେଶ୍ୱର
ମୋ-୯୪୩୭୦୭୬୧୦୦