ତରୁଣକାନ୍ତି ମିଶ୍ର ପାଇବେ ‘କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର’

ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ୨୦୧୯ ମସିହା ଲାଗି ଓଡ଼ିଶାରୁ ସମ୍ମାନଜନକ ‘କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର’ ପାଇବେ ଖ୍ୟାତନାମା ଲେଖକ ତରୁଣକାନ୍ତି ମିଶ୍ର। ସେ ତାଙ୍କ ରଚିତ କ୍ଷୁଦ୍ରଗଳ୍ପ ସଙ୍କଳନ ‘ଭାସ୍ବତୀ’ ପାଇଁ ଏକାଡେମୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। କେନ୍ଦ୍ର ସାହିତ୍ୟ ଏକାଡେମୀ ସଭାପତି ଡ. ଚନ୍ଦ୍ରଶେଖର କମ୍ବରଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଏକାଡେମୀର କାର୍ଯ୍ୟକାରୀ କମିଟି ବୈଠକରେ ଏନେଇ ବିଧିବଦ୍ଧଭାବେ ଘୋଷଣା କରାଯାଇଛି।
୧୯୫୦ ଅଗଷ୍ଟ ୨ରେ କେନ୍ଦୁଝର ଜିଲାରେ ଜନ୍ମଗ୍ରହଣ କରିଥିବା ତରୁଣକାନ୍ତି ମିଶ୍ର ପୁରୀ ଜିଲା ସ୍କୁଲରୁ ସ୍କୁଲିଂ, ବିଜେବି କଲେଜରୁ ଅର୍ଥନୀତିରେ ସ୍ନାତକ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଅପ୍ଲାଏଡ୍‌ ଇକୋନୋମିକ୍ସରେ ସ୍ନାତକୋତ୍ତର କରିଛନ୍ତି। ୟୁନିଭର୍ସିଟି ଅଫ୍‌ ଇଷ୍ଟ ଆଙ୍ଗ୍‌ଲିଆରୁ ଏମ୍‌ଏ ଡିଗ୍ରୀ ହାସଲ କରିବା ପରେ ସେ ୧୯୭୫ରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେଇଥିଲେ। ଓଡ଼ିଶା ସରକାରଙ୍କ ୧୦ଟି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ସଫଳତାର ସହ ଦାୟିତ୍ୱ ତୁଲାଇ ୨୦୧୦ରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଭାବେ ସେ ଅବସର ଗ୍ରହଣ କରିଥିଲେ। ପ୍ରଶାସନିକ ସେବାରେ ଜଣେ କର୍ତ୍ତବ୍ୟନିଷ୍ଠ ଅଧିକାରୀ ଭାବେ କାର୍ଯ୍ୟ କରିଥିବା ମିଶ୍ର ଜଣେ ସାହିତି୍ୟକଭାବେ ମଧ୍ୟ ବେଶ୍‌ ସୁନାମ ଅର୍ଜନ କରିଛନ୍ତି। ସ୍କୁଲରେ କ୍ଷୁଦ୍ରଗଳ୍ପ ରଚନାରୁ ସାହିତି୍ୟକ ଜୀବନ ଆରମ୍ଭ କରିଥିବା ତରୁଣକାନ୍ତିଙ୍କ ୨୦୦ରୁ ଅଧିକ ଲେଖା ପ୍ରକାଶିତ ହୋଇଛି। ‘ଦଣ୍ଡକାରଣ୍ୟ’ ପାଇଁ ଚର୍ଚ୍ଚାରେ ଥିବା ମିଶ୍ରଙ୍କ ବିଭିନ୍ନ କାଳଜୟୀ ରଚନା ମଧ୍ୟରେ ରହିଛି ‘ରଜନୀଗନ୍ଧା’, ‘ସକାଳର ମାନଚିତ୍ର’, ‘ସଂବହନ’, ‘ଶରଦଃ ଶତମ୍‌’, ‘ଆଜି ରାତିର ଗଳ୍ପ’, ‘ବହୁବ୍ରୀହି’, ‘ଭାସ୍ବତୀ’, ‘ଇତ୍‌ନୀ ଦୂର’, ‘ଜହ୍ନ ରାତିର ଗପ ସରିନାହିଁ’, ‘ବୀତଂସ’ ଓ ‘ଲୁବ୍‌ଧକର ରାତି’। ତାଙ୍କ ରଚିତ ପୁସ୍ତକ ହିନ୍ଦୀ, ବଙ୍ଗଳା, ଉର୍ଦ୍ଦୁ, ତେଲୁଗୁ, ମରାଠି, ଗୁଜରାଟି ଓ ଇଂଲିଶ ଭଳି ଏକାଧିକ ଭାଷାରେ ଅନୁବାଦ ହୋଇଥିବାବେଳେ ଉତ୍କୃଷ୍ଟ ସାହିତ୍ୟକୃତି ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ସାରଳା ପୁରସ୍କାର, କଥା ସମ୍ମାନ ଏବଂ ୨୦୦୯ରେ ଶ୍ରେଷ୍ଠ ପ୍ରଶାସକ ଭାବେ ‘ଥିଙ୍କ୍‌ ଓଡ଼ିଶା ଲିଡର୍‌ଶିପ୍‌ ଆୱାର୍ଡ’ ପାଇଛନ୍ତି। ଚଳିତବର୍ଷର ଓଡ଼ିଆ ଭାଷା ପାଇଁ ଏକାଡେମୀ ପୁରସ୍କାର ବିଜେତାଙ୍କୁ ବାଛିବା ଲାଗି ୩ ଜଣିଆ ବିଚାରକ ମଣ୍ଡଳିରେ ଡ. ମାଳବିକା ରାୟ, ଡ. ଫନୀ ମହାନ୍ତି ଓ ଡ. ପ୍ରଫୁଲ୍ଲ କୁମାର ମହାନ୍ତି ରହିଥିଲେ।

Share