ତଳଗାଁ ଛାତ୍ରୀ ନିବାସରେ ଗୁଣିଗାରେଡି ଭୟ: ହଷ୍ଟେଲ ଛାଡିଲେ ୨୫ ଛାତ୍ରୀ

ତଳଗାଁ, ୧୯।୭(ଡି.ଏନ.ଏ)-ଗୁଣିଗାରେଡି ଭୟରେ ବୌଦ୍ଧ ଜିଲା ଆଦିବାସୀ ଅଧ୍ୟୁଷିତ ହରଭଙ୍ଗା ବ୍ଲକର ତଳଗାଁ ଛାତ୍ରୀ ନିବାସରେ ବୁଧବାର ରାତି ଓ ଗୁରୁବାର ସକାଳେ ୨୫ ଜଣ ଛାତ୍ରୀ ହଷ୍ଟେଲ ଛାଡିଥିବା ଜଣାପଡିଛି ।
ସୂଚନା ମୁତାବକ, ଛାତ୍ରୀ ନିବାସର ୫/୬ ଜଣ ଛାତ୍ରୀ ବାରମ୍ବାର ଅଚେତ ହୋଇ ପେଟରେ କଷ୍ଟ ଅନୁଭବ କରିବା ପ୍ରକାଶ କରିଥିଲେ । ସପ୍ତମ ଶ୍ରେଣୀ ଛାତ୍ରୀ ମମିମିତା ବେହେରା, ଦଶମ ଶ୍ରେଣୀ ଛାତ୍ରୀ ସର୍ମିତା ବେହେରା ଏବଂ ଆଉ ତିନିଜଣ ଛାତ୍ରୀ ପେଟରେ କଷ୍ଟ ଅନୁଭବ କରିବା ସହିତ ଅଚେତ ହୋଇ ପଡିଥିଲେ । ବୁଧବାର ରାତିରେ ଏଭଳି ପରିସ୍ଥିତି ଦେଖି ହଷ୍ଟେଲ ଦାୟିତ୍ୱରେ ଥିବା ଶିକ୍ଷକ ପ୍ରଦୀପ୍ତ କୁମାର ଉର୍ମା ସଙ୍ଗେ ସଙ୍ଗେ କିଛି ଗ୍ରାମବାସୀ ଓ ଅଭିଭାବକକୁ ଡକାଇ ଅସୁସ୍ଥ ଛାତ୍ରୀମାନଙ୍କୁ ୩ କିମି ବାଟ ନେଇ ଜଣେ ଗୁଣିଆ ପାଖରେ ଝଡାଫୁଙ୍କା କରିଥିଲେ ଏବଂ ପରେ ତଳଗାଁ ମେଡିକାଲକୁ ନେଇଥିଲେ । କିନ୍ତୁ ମେଡିକାଲରେ ଡାକ୍ତର ନ ଥିବାରୁ ରୋଗର ଲକ୍ଷଣ ଜଣାପଡି ନ ଥିଲା । ଗୁରୁବାର ସକାଳୁ ପୁଣି ୨/୩ ଜଣ ଛାତ୍ରୀ ସେଭଳି ହେବାରୁ ଅଭିଭାବକ ଏହି ଖବର ଜାଣିବା ପରେ ହଷ୍ଟେଲରୁ ଛାତ୍ରୀମାନଙ୍କୁ ନେବାକୁ ଶିକ୍ଷକଙ୍କୁ କହିଥିଲେ । ଫଳରେ ଗୁରୁବାର ୨୫ ଜଣ ଛାତ୍ରୀ ବିଦ୍ୟାଳୟ ଛାଡିଥିବା ଦେଖିବାକୁ ମିଳିଛି । ଏହି ବିଦ୍ୟାଳୟରେ ୪ ଜଣ ଶିକ୍ଷୟିତ୍ରୀ ଥିବାବେଳେ ହଷ୍ଟେଲରେ କୌଣସି ଶିକ୍ଷୟିତ୍ରୀଙ୍କୁ ଛାତ୍ରୀମାନଙ୍କୁ ଦେଖାରଖା ଦାୟିତ୍ୱ ଦିଆଯାଇନାହିଁ । ଫଳରେ ଛାତ୍ରୀମାନେ ସେମାନଙ୍କ ଅସୁବିଧା କହିପାରୁନାହାନ୍ତି । ଏଠାରେ ଯେଉଁ ମହିଳା ଜଣକ ରୋଷେଇ କରୁଛନ୍ତି, ସେ ହିଁ ପିଅନ, ମେଟ୍ରନ ଓ ରାତ୍ର ଜଗୁଆଳି କାର୍ଯ୍ୟ କରୁଛନ୍ତି । ଏ ସମ୍ପର୍କରେ ଦାୟିତ୍ୱରେ ଥିବା ଶିକ୍ଷକ ପ୍ରଦୀପ୍ତ କୁମାର ଉର୍ମାଙ୍କୁ ପଚାରିବାରୁ ସେ କହିଲେ, ଏହି ଅଞ୍ଚଳ କନ୍ଧ ମାଟି । ତେଣୁ ଗୋଟିଏ ଦେବୀ ଏଭଳି କରୁଛି । ଏଣୁ ଆମେ ତୁରନ୍ତ ଅସୁସ୍ଥ ପିଲାମାନଙ୍କୁ ଗୁଣିଆ ପାଖରେ ଝଡାଫୁଙ୍କା କରାଇଥିଲୁ ଏବଂ ମେଡିକାଲରେ ଦେଖାଇଥିଲୁ । ଯଦି ଅଭିଭାବକ ଚାହିଁବେ ତାଙ୍କ ପିଲାମାନଙ୍କୁ ନେଇ ପାରିବେ ବୋଲି ଉର୍ମା କହିଥିଲେ । ଏ ନେଇ ହରଭଙ୍ଗା ବ୍ଲକ ସମାଜ ମଙ୍ଗଳ ଅଧିକାରୀ ପ୍ରଦୀପ କୁମାର ନାଏକଙ୍କୁ ପଚାରିବାରୁ ଶିକ୍ଷକ ଜଣକ ଏ ବିଷୟରେ ମୋତେ କହିଛନ୍ତି । ଦିନେ ଦୁଇଦିନ ପାଇଁ ସ୍କୁଲ ଛୁଟି କରିଦେବାକୁ ତାଙ୍କୁ ପରାମର୍ଶ ଦେଇଥିବା କହିଥିଲେ ।