Advertisement

ତଳଧାତିକା ଗ୍ରାମବାସୀଙ୍କ ଜିଲାପାଳଙ୍କୁ ଦାବିପତ୍ର: ସମସ୍ୟା ସମାଧାନ ନହେଲେ ଆନ୍ଦୋଳନ ଚେତାବନୀ

କେନ୍ଦୁଝର/ରାଇସୁଆଁ, ୪ା୨(ଡି.ଏନ୍‌.ଏ.)-କେନ୍ଦୁଝର ସଦର ବ୍ଲକ ଗୋପୀନାଥପୁର ପଞ୍ଚାୟତ ଧାତିକା ମୌଜାର ତଳସାହି ବାସିନ୍ଦାମାନେ ତାଙ୍କ ଗ୍ରାମକୁ ପ୍ରଶାସନିକ ଉଦାସୀନତା ପ୍ରତିବାଦରେ ସୋମବାର ଜିଲାପାଳଙ୍କୁ ଭେଟିଛନ୍ତି। ଏହି ସମସ୍ୟାଗୁଡିକର ସମାଧାନ ନହେଲେ ଆଗାମୀ ଦିନରେ ସଂପୃକ୍ତ ଜନସାଧାରଣ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି। ଗତ କିଛିବର୍ଷ ତଳେ ରାଇସୁଆଁ ପଞ୍ଚାୟତକୁ ଭଙ୍ଗ କରି ଗୋପିନାଥପୁର ପଞ୍ଚାୟତ ଭାବେ ଅନ୍ୟ ଏକ ପଞ୍ଚାୟତ ଗଠନ ହୋଇଥିଲା। ଏହି ପଞ୍ଚାୟତରେ ଧାତିକା ମୌଜା ରହିଛି। ଏହି ମୌଜାର ଉପରସାହିକୁ ସମସ୍ତ ପ୍ରକାର ସରକାରୀ ସୁବିଧା ସୁଯୋଗ ଦିଆଯାଉଥିଲେ ମଧ୍ୟ ତଳସାହି ବହୁବିଧ ସମସ୍ୟା ମଧ୍ୟରେ ରହିଛି। ଏହି ସାହିରେ ବସବାସ କରୁଥିବା ସମସ୍ତ ଲୋକ ଆଦିବାସୀ ଶ୍ରେଣୀର ଅଟନ୍ତି। ସାହିକୁ କୌଣସି ପିଇବା ପାଣିର ବ୍ୟବସ୍ଥା ନ ଥିବାବେଳେ ସ୍କୁଲ ପରିସରରେ ଥିବା ନଳକୂପ ଲୋକଙ୍କ ସାହାଭରସା ଅଟେ। ଛୁଟି ଦିନେ ସ୍କୁଲ ଗେଟରେ ତାଲା ପଡିଲେ ଲୋକେ ପାନୀୟ ଜଳ ପାଇଁ ଅନେକ ସମସ୍ୟା ଭୋଗନ୍ତି। ତଳସାହିର ବୃଦ୍ଧ ବୃଦ୍ଧାଙ୍କୁ ବାର୍ଦ୍ଧକ୍ୟ ଭତ୍ତା,ବିକଳାଙ୍ଗ ଭତ୍ତା ସମେତ ଏଠାକାର ଲୋକଙ୍କୁ ଇନ୍ଦିରାଆବାସ ଯୋଗାଇବାରେ ମଧ୍ୟ ପାତରଅନ୍ତର କରାଯାଉଥିବା ଲୋକେ ଜିଲାପାଳଙ୍କୁ ଅଭିଯୋଗ କରିଛନ୍ତି। ସାହିକୁ ଭଲ ରାସ୍ତାଟିଏ ନ ଥିବାବେଳେ ସରକାରଙ୍କ ତରଫରୁ ଧାତିକାକୁ ଯେ କୌଣସି ସହାୟତା ରାଶି ଆସେ କେବଳ ଉପରସାହି କଥାକୁ ଦୃଷ୍ଟି ଦିଆଯାଏ ଓ ତଳସାହିକୁ ଉପେକ୍ଷା କରାଯାଉଥିବା ଲୋକେ ଅଭିଯୋଗ କରିଛନ୍ତି। ମାଛକାନ୍ଦଣା ନଦୀ ତଳସାହିକୁ ଲାଗି ରହିଥିବାରୁ ଗାର୍ଡୱାଲ ଅଭାବରୁ ଛୋଟ ଛୋଟ ପିଲା ଓ ବୃଦ୍ଧାବୃଦ୍ଧମାନେ ନଦୀରେ ପଡିଯିବାର ସମ୍ଭାବନା ରହିଛି। ନଦୀରେ ପାହାଚ ଏବଂ ସାହିର ବିଜେସ୍ଥଳୀ ଠାକୁରାଣୀ ପୀଠକୁ ପାଚେରୀ ମଧ୍ୟ ନାହିଁ। ତେଣୁ ଜିଲାପାଳ ଏଥିପ୍ରତି ଧ୍ୟାନ ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ହେମନ୍ତୀ ସୋରେନ, ଅବନ୍ତୀ ମାଝୀ, ସୀତା ମାଝୀ, ଜୟନ୍ତୀ ମାଝୀ ପ୍ରମୁଖଙ୍କ ସମେତ ବହୁ ଗ୍ରାମବାସୀଙ୍କ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ରକୁ ସୋମବାର ଦିନ ପ୍ରଦାନ କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share