ତଳେ ଦଣ୍ଡା ଖଞ୍ଜାଗଲା, ସିଂହାସନ କାମ ଆରମ୍ଭ ଚାଲିଛି ଗରଗରା ଓ ନାହାକା କାଠ ହଣା

ପୁରୀ ଅଫିସ, ୧୫ା୬: ଶ୍ରୀନଅର ସମ୍ମୁଖ ରଥଖଳାରେ ଚାଲିଛି ମହାପ୍ରଭୁଙ୍କ ତିନି ରଥ ନିର୍ମାଣ। ତିିନି ମୁଖ୍ୟ ବିଶ୍ୱକର୍ମାଙ୍କ ନେତୃତ୍ୱରେ ରଥକାମ ଆଗେଇ ଚାଲିଛି। ଶ୍ରୀକ୍ଷେତ୍ର ଭଉଁରିରେ ତିନି ରଥର ଦୁଇଟି ଲେଖାଏଁ ଚକ ଅଖ ଡେରା ହୋଇଥିଲା। ବଳକା ୩୬ ଚକ ଓ ୧୮ଟି ଅଖ କାମ ସରିବା ପରେ ସମସ୍ତ ଚକ ଅଖ ସଂଯୋଗ ହୋଇ ଡେରା ଯାଇଥିଲା। ଗୁରୁବାରଠାରୁ ତଳେ ଦଣ୍ଡା ଖଞ୍ଜାଚାଲିଛି। ତିନି ରଥର ସମୁଦାୟ ୨୫ଟି ଦଣ୍ଡା ଅର୍ଥାତ ନନ୍ଦିଘୋଷ ଓ ତାଳଧ୍ୱଜ ରଥର ୯ଟି ଲେଖାଏଁ ଏବଂ ଦର୍ପଦଳନ ରଥର ୭ଟି ରହିଛି। ଦଣ୍ଡା ନିର୍ମାଣ ସମାପ୍ତ ହେବା ପରେ ମହାରଣା ଓ ଭୋଇ ସେବକମାନେ ଏହାକୁ ଖଞ୍ଜୁଛନ୍ତି। ଅଖ ଉପରେ କେଉଁ ଦଣ୍ଡା କେଉଁଠି ରହିଲେ, ତାହା ଠିକ୍‌ରେ ରହିବ, ସେହି ହିସାବରେ ଏହାକୁ ଖଞ୍ଜାଯାଉଛି। ଏଥିରେ ମୁହଁାଟ ଓ ପାର୍ଶ୍ୱ ମୁହଁାଟ ମଧ୍ୟ ଖଞ୍ଜାଯାଉଛି। ପରେ ଏହାକୁ ନେଇ ଏକ ସେଟ୍‌ ପ୍ରସ୍ତୁତ କରାଯାଇଛି। ଏହା ସମ୍ପୂର୍ଣ୍ଣ ଭାବେ ସେଟ୍‌ ହେବାପରେ ପ୍ରତି ଦଣ୍ଡାରେ ନମ୍ବର ଦିଆଯାଇ ଖୋଲାଯିବ। ଗୁରୁବାର ଚକ ନିର୍ଦ୍ଦିଷ୍ଟ ସ୍ଥାନରେ ରହିବା ଲାଗି ଚକରେ ଥାକ ଓ ବନ୍ଧ ଦିଆଯାଇଛି। ଏହାଦ୍ୱାରା ଚକ ସେହି ସ୍ଥାନରୁ ଅଲଗା ହୋଇପାରିବ ନାହିଁ। ଏଥିସହିତ ଅଖ ମଝିରେ ମେଣ୍ଢି(ଅଖକୁ ଟେକି ରଖିବା ଲାଗି) କାଠ ଦିଆଯାଇଛି। ଏହି କାମ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଦିନେ ଦୁଇ ଦିନ ମଧ୍ୟରେ ଦଣ୍ଡା ଅନୁକୂଳ ହୋଇ ଅଖ ଉପରକୁ ଉଠିବ। ଅନ୍ୟପଟେ ତାଳଧ୍ୱଜ ରଥ ରୂପକାର ଗଣେଶ୍ୱର ମହାପାତ୍ର କୁହନ୍ତି, ତିନି ରଥର ସମୁଦାୟ ୪୪ଟି କଣଗୁଜ ସରିଛି। ଏଥିମଧ୍ୟରୁ ତାଳଧ୍ୱଜ ଓ ନନ୍ଦିଘୋଷର ୧୬ଟି ଲେଖାଏଁ ଏବଂ ଦର୍ପଦଳନର ୧୨ଟି କଣଗୁଜ ରହିଛି। ସମସ୍ତ କଣଗୁଜରେ ସିଂହବିରାଳ ଖୋଦେଇ କରାଯାଇଛି। ଏବେ ସିଂହାସନ କାମ ଆରମ୍ଭ ହେବ। ଏହା ସରିବା ପରେ ନାଟଗୋଡ଼(ରଥର ଦ୍ୱାର ଦୁଇପାର୍ଶ୍ୱ ଖୁଣ୍ଟି) ଓ ପଟାଗୁଜ ଆରମ୍ଭ ହେବ। ତିନି ରଥରେ ୮ଟି ଲେଖାଏଁ ନାଟଗୋଡ଼ ଲାଗିବ। ନାଟଗୋଡ଼ରେ କନ୍ଦର୍ପର ଚିତ୍ର ଖୋଦେଇ କରାଯିବ। ପଟାଗୁଜରେ ଗଜ ବିରାଳ, ସିଂହବିରାଳ ଓ ନର ବିରାଳ ଖୋଦେଇ କରାଯିବ। ସେପଟେ ଦେବସ୍ନାନ ପୂର୍ଣ୍ଣିମାରେ ତିନି ରଥର ୪ ନାହାକା ଉଠିବ। ସେନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଗରଗରା କାଠ ଚଉପଟ ଚାଲିଛି। ଦୋଳବେଦି କୋଣରେ କମାର ସେବକ ଗୟଳ କଣ୍ଟା ପ୍ରସ୍ତୁତ କରୁଛନ୍ତି।

Share