ତହସିଲଦାର, ଅତିରିକ୍ତ ତହସିଲଦାରଙ୍କ ବିରୋଧରେ ଅସଦ୍‌ ବ୍ୟବହାର ଅଭିଯୋଗ

ପୁରୁଷୋତ୍ତମପୁର,୨୧ା୮(ଡି.ଏନ.ଏ.)-ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତହସିଲଦାର ଓ ଅତିରିକ୍ତ ତହସିଲଦାର ବିରୋଧରେ ଅଭିଯୋଗ ଆଣିଛନ୍ତି ତହସିଲ କାର୍ଯ୍ୟାଳୟର ଜଣେ ମହିଳା କର୍ମଚାରୀ। ତହସିଲଦାର ଅରୁଣ କୁମାର ନାୟକ ଓ ଅତିରିକ୍ତ ତହସିଲଦାର ଶୋଭନ କୁମାର ବେହେରା ଅସଦ୍‌ ବ୍ୟବହାର ପ୍ରଦର୍ଶନ କରିବା ସହ ନିର୍ଯାତନା ଦେଇଥିବା ନେଇ ମହିଳା କର୍ମଚାରୀ ଜଣକ ପୁରୁଷୋତ୍ତମପୁର ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ଅଭିଯୋଗ କରିଛନ୍ତି । ଏହି ଘଟଣା ପୁରୁଷୋତ୍ତମପୁର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ସମ୍ପୃକ୍ତା କର୍ମଚାରୀ ଜଣଙ୍କୁ ଅତିରିକ୍ତ ତହସିଲଦାର ଅସଦବ୍ୟବହାର ପ୍ରଦର୍ଶନ ସହ ନିର୍ଯାତନା ଦେବାରେ ଲାଗିଥିଲେ। ଏନେଇ ସେ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତହସିଲଦାର ଏହାକୁ ଗୁରୁତ୍ୱ ନ ଦେଇ ସେ ମଧ୍ୟ ଅସଦ ବ୍ୟବବହାର କରିଥିଲେ ବୋଲି ମହିଳା କର୍ମଚାରୀ ଜଣକ ଅଭିଯୋଗ କରିଛନ୍ତି। ଏପରିକି ତାଙ୍କୁ ଧମକ ଦିଆଯାଇଥିବା ନେଇ ସେ ପୁରୁଷୋତ୍ତମପୁର ଥାନା ପୋଲିସ ଓ ଗଞ୍ଜାମ ଏସ୍‌ପିଙ୍କୁ ଲିଖିତ ଅଭିଯୋଗ ଡାକଯୋଗେ ପଠାଇଥିଲେ। କୌଣସି ସୁଫଳ ନ ମିଳିବାରୁ ଗତ ୧୩ତାରିଖରେ ମହିଳା କର୍ମଚାରୀ ଜଣକ ପୁରୁଷୋତ୍ତମପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ଧାରା ୨୯୪/୩୫୪ ଏ, ୩୫୪ ବି, ୩୫୪ ସି/୫୦୬/୫୦୯/୫୧୧ ପ୍ରକାରେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗକୁ ନେଇ ବିଚାରପତି ଅନ୍ନପୂର୍ଣ୍ଣା ଷଡଙ୍ଗୀ ୱାନ ସିସି କେସ ନମ୍ବର ୫/୧୯ ପ୍ରକାରେ ଅଭିଯୋଗକୁ ଗ୍ରହଣ କରି ବିଚାରକୁ ନେଇଛନ୍ତି। ଏ ନେଇ ତହସିଲଦାର ନାୟକଙ୍କ ସହ ଯୋଗାଯୋଗ କରିବାରୁ ସେ କୌଣସି ମନ୍ତ୍ୟବ୍ୟ ଦେବାକୁ ମନା କରିଥିଲେ। ସେହିପରି ଅତିିରିକ୍ତ ତହସିଲଦାର ବେହେରା ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି। ମହିଳା କର୍ମଚାରୀ ଜଣଙ୍କୁ ଦିଆଯାଇଥିବା କାମ ସେ ଠିକ ଭାବେ ନ ତୁଲାଇ ଷ୍ଟାଫ ମିଟିଙ୍ଗରେ ଅସଦ ବ୍ୟବହାର ପ୍ରଦର୍ଶନ କରିଥିଲେ । ଏହି ଘଟଣା ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବାରୁ କର୍ମଚାରୀ ଜଣକ ଏଭଳି ଅଭିଯୋଗ କରିଥିବା ଅତିରିକ୍ତ ତହସିଲଦାର କହିଛନ୍ତି।