ତହସିଲ ଅଫିସ ଆଗରେ ବିକ୍ଷୋଭ,ଗଣଧାରଣା

ବନ୍ତ,୩ା୧୨(ଡି.ଏନ୍‌.ଏ.)- ମଙ୍ଗଳବାର ଭଦ୍ରକ ଜିଲା ବନ୍ତ ବ୍ଲକ କୃଷକ ସଭାର ବିଭିନ୍ନ ଦାବି ନେଇ ସିପିଆଇ(ଏମ୍‌)ପକ୍ଷରୁ ତହସିଲ ସମ୍ମୁଖରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନ କରି ଗଣଧାରଣା ଦିଆଯାଇଥିଲା। ସ୍ଥାନୀୟ ପିଏନ୍‌ବି ଛକ ଠାରୁ ବନ୍ତ ଅଞ୍ଚଳ କମିଟିର କୃଷକ ନେତା ରବୀନ୍ଦ୍ର ନାୟକ ତଥା ସିପିଆଇ(ଏମ୍‌) ବନ୍ତ ଅଞ୍ଚଳ କମିଟିର ସମ୍ପାଦକଙ୍କ ନେତୃତ୍ୱରେ ଶତାଧିକ କୃଷକ ସାଥୀ, ମଧ୍ୟବିତ୍ତ, ନିମ୍ନମଧ୍ୟବିତ୍ତ ଓ ଭାଗ ଚାଷୀ ଏକ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରି ତହସିଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ତହସିଲଦାରଙ୍କ ଜରିଆରେ ପ୍ରଦାନ କରାଯାଇଥିଲା। ବନ୍ତ ବ୍ଲକ ସିପିଆଇ(ଏମ୍‌)ର ବରିଷ୍ଠ ସଦସ୍ୟ ଅନନ୍ତ ଚରଣ ପୃଷ୍ଟି ସ୍ଥାନୀୟ ସମସ୍ୟା ସମ୍ପର୍କରେ ବକ୍ତବ୍ୟ ରଖିିଥିଲେ । କୃଷକ ନେତା ପ୍ରଭାସ ଚନ୍ଦ୍ର ମହାପାତ୍ର ଦରଦାମ ବୃଦ୍ଧି, ସରକାରୀ କଳକାରଖାନା ବିକ୍ରି, ଆର୍ଥିକ ମାନ୍ଦାବସ୍ଥା ପ୍ରସଙ୍ଗ ଉଲ୍ଲେଖ କରି ବୁଲ୍‌ବୁଲ୍‌ ବାତ୍ୟାରେ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ପ୍ରଦାନ, କାଳିଆ ଯୋଜନାରେ ସମସ୍ତ ପରିବାରଙ୍କୁ ଅର୍ଥ ପ୍ରଦାନ ଦାବି ଉଠାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲା ସିପିଆଇ(ଏମ୍‌) ସମ୍ପାଦକ ଦିବ୍ୟସିଂହ ନାୟକ, ଓଡିଶା ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ସନ୍ତୋଷ ଦାସ, ଆଇନଜୀବୀ ପ୍ରତାପ ସେଠୀ, ଜିଲା ସମ୍ପାଦକ ମଣ୍ଡଳୀ ସଭ୍ୟ ଚନ୍ଦ୍ର ଶେଖର ନାୟକ, ପ୍ରଫୁଲ୍ଲ ପାଢୀ, ଅଭିରାମ ବଳ, ଭଗବାନ ପଲେଇ, ସୁକାନ୍ତ ପ୍ରଧାନ ପ୍ରମୁଖ ବକ୍ତବ୍ୟ ରଖିଥିଲେ ।