ତହସିଲ କାର୍ଯ୍ୟାଳୟରେ ପେଟ୍ରୋକେମିକାଲ୍ସ ପ୍ରକଳ୍ପ ଜନଶୁଣାଣିକୁ ବିରୋଧ

ବାଲିଆପାଳ, ୧୩।୬(ସ୍ବ.ପ୍ର.)-କରୋନା ପାଇଁ ପ୍ରଶାସନ ଜନସାଧାରଣଙ୍କୁ ଜନଗହଳିରୁ ଦୂରେଇ ରହିବା ପାଇଁ ସଚେତନ କରାଇବା ଏବଂ ମାକ୍ସ ନ ପିନ୍ଧିଲେ ଫାଇନ କରିବା ଆଦି ପଦକ୍ଷେପ ନେଉଛି। ମାତ୍ର ଶୁକ୍ରବାର କରୋନା କଟକଣାକୁ ପ୍ରଶାସନ ଊଲ୍ଲଘଂନ କରି ବାଲିଆପାଳର ସମୁଦ୍ର ଉପକୂଳରେ ପ୍ରସ୍ତାବିତ ପେଟ୍ରୋକେମିକାଲ୍ସ ପ୍ରକଳ୍ପ ନିର୍ମାଣ ପାଇଁ ଜନଶୁଣାଣି ଆୟୋଜନ କରିଥିଲା। ପ୍ରଶାସନର ଏଭଳି ନିଷ୍ପତ୍ତିକୁ ସମ୍ପୃକ୍ତ ପଞ୍ଚାୟତବାସୀ ଏବଂ ଉପକୂଳ ଭିଟାମାଟି ସୁରକ୍ଷା କମିଟି ସମେତ ବିଭିନ୍ନ ସଙ୍ଗଠନ ବିରୋଧ କରିବାରୁ ଶେଷରେ ଜନଶୁଣାଣି ସ୍ଥଗିତ ରହିଥିଲା।
ବାଲିଆପାଳର ଚଉମୁଖଠାରେ ସୁବର୍ଣ୍ଣରେଖା ବନ୍ଦର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଚେନ୍ନାଇର କ୍ରିଏଟିଭ୍‌ ପୋର୍ଟ ଏବଂ ଟାଟା କମ୍ପାନୀ ସହିତ ଚୁକ୍ତି କରିବା ପରେ ପୋର୍ଟ ଏବଂ ରେଳ ସଂଯୋଗ ସରକାର ଜମି ଅଧିଗ୍ରହଣ ପାଇଁ ସମସ୍ତ କାର୍ଯ୍ୟ ତ୍ୱରାନ୍ବିତ କରୁଛନ୍ତି। ଅପରପକ୍ଷରେ ସେଠାରେ ବନ୍ଦରଭିତ୍ତିକ ପେଟ୍ରୋକେମିକାଲ୍ସ ପ୍ରକଳ୍ପ ସ୍ଥାପନ ପାଇଁ ହଳଦିଆ ପେଟ୍ରୋକେମିକାଲ୍ସ ସହିତ ଅନ୍ୟ ଏକ ଚୁକ୍ତିପତ୍ର ସ୍ବାକ୍ଷର ହେବା ସହିତ ଏହି ବ୍ଲକର ଅଁଳାଡ଼ିହା, ନୂଆଗାଁ, ଜମ୍ଭିରାଇ ଆଦି ପାଞ୍ଚଟି ପଞ୍ଚାୟତର ୩୫ଶହ ଏକର ଜମି ଅଧିଗ୍ରହଣ ପାଇଁ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି କ୍ରମରେ ଶୁକ୍ରବାର ଜମ୍ଭିରାଇ ପଞ୍ଚାୟତର ଜନଶୁଣାଣି ବାଲିଆପାଳ ତହସିଲ ପରିସରରେ ହେବା ପାଇଁ ସ୍ଥିର ହୋଇ ଲୋକଙ୍କୁ ନୋଟିସ୍‌ କରାଯାଇଥିଲା। ମାତ୍ର କରୋନା ପରି ମହାମାରୀ ସମୟରେ ପଞ୍ଚାୟତଠାରୁ ୨୦ରୁ ୨୫ କି.ମି. ଦୂରରେ ଜନଶୁଣାଣିକୁ ବିରୋଧ କରି ଶତାଧିକ ଲୋକ ଏକାଠି ହୋଇ ମରିବୁ ପଛେ କମ୍ପାନୀ ପାଇଁ ଇଞ୍ଚେ ହେଲେ ଜାଗା ଛାଡ଼ିବୁ ନାହିଁ ସ୍ଲୋଗାନ ଦେଇ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରିଥିଲେ। ଉପକୂଳ ଭିଟାମାଟି ସୁରକ୍ଷା କମିଟି ଏହାର ନେତୃତ୍ୱ ନେଉଥିବା ବେଳେ ଏହାର ନେତା ଅନୁଜ ମହାପାତ୍ର, ଆକବର ସାହା, କୁଶଧ୍ୱଜ ଜେନା ପ୍ରମୁଖ ଜନଶୁଣାଣିକୁ ଗ୍ରାମସ୍ତରରେ ଆୟୋଜନ କରିବାକୁ ଦାବି କରି ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏହି ଜନଶୁଣାଣି ପାଇଁ ବାଲେଶ୍ୱର ଅତିରିକ୍ତ ଜିଲାପାଳ ସମ୍ବିତ କୁମାର ନାୟକ, ଉପଜିଲାପାଳ ନିଲୁ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ବାଲିଆପାଳ ତହସିଲଦାର ଦୀପକ କୁମାର ଦାସଙ୍କୁ ପଚାରିବାରୁ ସେ ଏହା ଜନଶୁଣାଣି ନୁହେଁ ବରଂ ଏହା ବେଆଇନ ଭାବେ ସରକାରୀ ଜମି ଜବରଦଖଲ କରିଥିବା ସମ୍ପର୍କରେ ବୋଲି କହିଥିଲେ। ତେବେ ସରକାରୀ ନିୟମ ଅନୁଯାୟୀ ଜବରଦଖଲକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ କାଯର୍‌ୟାନୁଷ୍ଠାନ ହେବ ବୋଲି କହିଥିଲେ ା