ତହସିଲ କାର୍ଯ୍ୟାଳୟ ଘେରିଲା ନବନିର୍ମାଣ କୃଷକ ସଙ୍ଗଠନ

ତିହିଡ଼ି,୧୫।୧୧(ଡି.ଏନ୍‌.ଏ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଶୁକ୍ରବାର ମଧ୍ୟାହ୍ନରେ ତହସିଲ କାର୍ଯ୍ୟାଳୟ ଘେରାଉ କରାଯାଇଛି। ‘ବୁଲ୍‌ବୁଲ୍‌’ରେ ବ୍ଲକର କ୍ଷତିଗ୍ରସ୍ତ ଚାଷୀଙ୍କୁ ନିରପେକ୍ଷ ଭାବେ ଚିହ୍ନଟ କରାଯାଇ ଏକର ପ୍ରତି ୨୦ ହଜାର ଟଙ୍କା କ୍ଷତିପୂରଣ ସହ ଅନ୍ୟ ଦାବି ନେଇ ସଙ୍ଗଠନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ସଙ୍ଗଠନର କର୍ମକର୍ତ୍ତା ଓ ଚାଷୀମାନେ ବ୍ଲକ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରି ତହସିଲ କାର୍ଯ୍ୟାଳୟରେ ପହଞ୍ଚି ଘେରାଉ କରିବା ସହ ଧାରଣା ଦେଇଥିଲେ। ସଙ୍ଗଠନ ପକ୍ଷରୁ ବିଡିଓ ଏବଂ ତହସିଲଦାରଙ୍କୁ ବିଭିନ୍ନ ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଜିଲା ସଂଯୋଜକ ତ୍ରିଲୋଚନ ପଣ୍ଡା, ବ୍ଲକ ସଂଯୋଜକ ଗଗନ ବିହାରୀ ମହାନ୍ତି, ଉପସଭାପତି ଜୟପ୍ରକାଶ ମଲିକ, ଜିଲା ସହ ସମ୍ପାଦକ ସତ୍ୟକେତନ ଦାସ ପ୍ରମୁଖ ଏହାର ନେତୃତ୍ୱ ନେଇଥିଲେ।