ତହସିଲ ପକ୍ଷରୁ ଚଢାଉ: ୭ଟି ଗାଡ଼ି ଜବତ

ଧର୍ମଶାଳା,୪।୬(ଡି.ଏନ୍‌.ଏ.)- ଧର୍ମଶାଳା ତହସିଲଦାର ଓ ଅତିରିକ୍ତ ତହସିଲଦାର ରବିବାର ଓ ସୋମବାର ରାସ୍ତାକାମ ପାଇଁ ବେଆଇନଭାବେ ମାଟି ଆଣୁଥିବା ୬ଟି ହାଇୱା, ଗୋଟିଏ ଟ୍ରାକ୍ଟର ଓ ଗୋଟିଏ ଡ୍ରିଲିଂ ମେଶିନ୍‌ ଜବତ କରିଛନ୍ତି। ୧୬ନଂ ଜାତୀୟ ରାଜପଥ ପ୍ରସସ୍ଥୀକରଣ ପାଇଁ କାମନେଇଥିବା ଠିକାଦାର ବେଆଇନଭାବେ ବିଭିନ୍ନସ୍ଥାନରୁ ମାଟି ଉତ୍ତୋଳନ କରି ହାଇୱା ସାହାଯ୍ୟରେ ଆଣି କାମରେ ଲଗାଉଛନ୍ତି। ଏ ନେଇ ଅଭିଯୋଗ ପାଇବା ପରେ ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା ଓ ଅତିରିକ୍ତ ତହସିଲଦାର ଦେବୀପ୍ରସାଦ ମହାନ୍ତି ଧର୍ମଶାଳା-କବାଟବନ୍ଧ ରାସ୍ତାର ନାକପୋଲ ଓ ଚଣ୍ଡିଖୋଲ- ଡୁବୁରୀ ରାସ୍ତାର କଣ୍ଟିଗଡିଆଠାରେ ଚଢାଉ କରିଥିଲେ। ସୋମବାର ୨ଟି ହାଇୱା ଓ ରବିବାର ୪ଟି ହାଇୱା, ଟ୍ରାକ୍ଟର ଓ ଗୋଟିଏ ଡ୍ରିଲିଂ ମେଶିନକୁ ଜବତ କରି ଥାନା ଓ ଫାଣ୍ଡିରେ ଅଟକ ରଖିଛନ୍ତି। ଜବତ ଗାଡିଗୁଡିକଠାରୁ ଲକ୍ଷାଧିକ ଟଙ୍କା ଜରିମାନା ଆଦାୟ କରାଯିବ ବୋଲି ତହସିଲଦାର ପଣ୍ଡା ସୂଚନା ଦେଇଛନ୍ତି।