ତାଇଓ୍ବାନ୍‌ରେ ହେଲିକପ୍ଟର ଦୁର୍ଘଟଣା: ସେନାଧ୍ୟକ୍ଷଙ୍କ ସମେତ ୮ ମୃତ

ତାଇପେଇ,୩ା୧:ତାଇଓ୍ବାନର ତାଇପେଇଠାରେ ଏକ ସେନା ହେଲିକପ୍ଟର ପାହାଡରେ ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଏଥିରେ ଥିବା ସେନାଧ୍ୟକ୍ଷ ଶେନ୍‌ ୟି-ମିଙ୍ଗଙ୍କ ସମେତ ୮ ସୈନ୍ୟ ପ୍ରାଣ ହରାଇଛନ୍ତି। ସେନାଧ୍ୟଙ୍କଙ୍କ ବ୍ୟତୀତ ପ୍ରାଣ ହରାଇଥିବା ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି ୩ ମେଜର୍‌ ଜେନେରାଲ। ବ୍ଲାକ୍‌ ହକ୍‌ ହେଲିକପ୍ଟର ଦ୍ୱାରା ଏମାନେ ଉତ୍ତର-ପୂର୍ବ ୟିଲାନ୍‌ କାଉଣ୍ଟି ଅଭିମୁଖେ ଯାତ୍ରା କରୁଥିବାବେଳେ ଦୁର୍ଘଟଣା ଘଟିଥିଲା। ତେବେ ୫ ସେନାଧିକାରୀ ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡ଼ିଛି।
ନୂଆ ରାଷ୍ଟ୍ରପତି ନିର୍ବାଚନ ଲାଗି ପ୍ରସ୍ତୁତି ଜୋର୍‌ ଧରିଥିବାବେଳେ ଦିନକ ପୂର୍ବରୁ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ସମସ୍ତଙ୍କୁ ଆଚମ୍ବିତ କରିପକାଇଛି। ଏହାକୁ ଦେଇ ଦେଶବାପୀ ଶୋକର ଛାୟା ଖେଳିଯାଇଛି। ସରକାରଙ୍କ ପକ୍ଷରୁ ସମସ୍ତ ସେନା ଶାଖାରେ ଜାତୀୟ ପତାକାକୁ ୩ ଦିନ ପର୍ଯ୍ୟନ୍ତ ଅର୍ଦ୍ଧନମିତ ରଖିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆଗାମୀ ୩ ଦିନ ଲାଗି ପ୍ରଚାର କାର୍ଯ୍ୟ ବନ୍ଦରଖାଯିବ ବୋଲି ରାଷ୍ଟ୍ରପତି ସାଇ ଇଙ୍ଗ୍‌-ଓ୍ବେନ୍ସଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି। ଅନୁରୂପ ଭାବେ ଶାସକ ଡେମୋକ୍ରାଟିକ୍‌ ପ୍ରୋଗ୍ରେସିଭ୍‌ ପାର୍ଟି ମଧ୍ୟ ୩ ଦିନ ପ୍ରଚାର କାର୍ଯ୍ୟ ବନ୍ଦରଖିବାକୁ ନିଷ୍ପତ୍ତି ନେଇଛି। ସାଇ ଦ୍ୱିତୀୟ ଥର ରାଷ୍ଟ୍ରପତି ହେବା ଲାଗି ଅଣ୍ଟା ଭିଡ଼ଛନ୍ତି।

Share