
ବେଜିଂ,୧।୪: ଚାଇନା ସେନା ତାଇୱାନ ଚାରିପାଖରେ ଯୁଦ୍ଧ ଅଭ୍ୟାସ ଆରମ୍ଭ କରିଛି। ଚାଇନା ସେନାର ପୂର୍ବ ଥିଏଟର କମାଣ୍ଡର ସରକାରୀ WeChat ଆକାଉଣ୍ଟରେ ଏହି ସୂଚନା ଦିଆଯାଇଛି। ଏହି ଅଭ୍ୟାସରେ ସ୍ଥଳସେନା, ନୌସେନା ଏବଂ ରକେଟ ଫୋର୍ସର ମିଳିତ ବାହିନୀ ଅଂଶଗ୍ରହଣ କରୁଥିବା କୁହାଯାଇଛି।
ଚାଇନା କହିଛି ଯେ ଏହି ଅଭ୍ୟାସ ତାଇୱାନର ସ୍ବାଧୀନତାକୁ ସମର୍ଥନ କରୁଥିବା ଲୋକଙ୍କ ପାଇଁ ଏକ କଡ଼ା ଚେତାବନୀ। ସାମ୍ପ୍ରତିକ ସମୟରେ, ଚାଇନା ତାଇୱାନ ଉପରେ ତା’ର ରାଜନୈତିକ ଏବଂ ସାମରିକ ଚାପ ବୃଦ୍ଧି କରିଛି। ଏହି ସାମରିକ ଅଭ୍ୟାସକୁ ତାଇୱାନ ପାଇଁ ବିପଦ ଭାବରେ ଦେଖାଯାଉଛି, କାରଣ ଚାଇନା ତାଇୱାନକୁ ନିଜର ଅଂଶ ବୋଲି ମାନିଥାଏ।
ଚାଇନା ପୂର୍ବରୁ କହିସାରିଛି ଯେ ସେ ଯେକୌଣସି ପରିସ୍ଥିତିରେ ତାଇୱାନକୁ ନିଜ ସହିତ ମିଶାଇବ ଏବଂ ଏଥିପାଇଁ ଶକ୍ତି ପ୍ରୟୋଗ ମଧ୍ୟ ଏକ ବିକଳ୍ପ ହୋଇପାରେ। ଚେଇନା ସେନା କହିଛି ଯେ ଏହି ଅଭ୍ୟାସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମୁଦ୍ର ଏବଂ ଆକାଶରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବା। ଏହା ବ୍ୟତୀତ, ସମୁଦ୍ର ଏବଂ ସ୍ଥଳ ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ କରିବା, ସୈନ୍ୟଙ୍କ ମିଳିତ ଶକ୍ତି ବୃଦ୍ଧି କରିବା ଏବଂ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଏବଂ ସମୁଦ୍ର ପଥକୁ ଘେରି ରଖିବା ପାଇଁ ରଣନୀତି ଉପରେ ମଧ୍ୟ କାମ କରାଯାଉଛି।
ଘୋଷଣା ପରେ ଚାଇନା ସେନାର ପୂର୍ବ ଥିଏଟର କମାଣ୍ଡ ୱେଇବୋରେ ‘କ୍ଲୋଜିଂ ଇନ’ ଶୀର୍ଷକ ଏକ ପୋଷ୍ଟର ଜାରି କରିଛି। ଏହି ପୋଷ୍ଟରରେ ଚାଇନା ଯୁଦ୍ଧଜାହାଜ ଏବଂ ଲଢ଼ୁଆ ବିମାନଗୁଡ଼ିକ ତାଇୱାନ ଚାରିପାଖରେ ଉଡ଼ୁଥିବା ଦେଖାଯାଇଥିଲା। ଏହା ସହିତ, ପୂର୍ବ ଥିଏଟର କମାଣ୍ଡର WeChat ପୃଷ୍ଠାରେ ‘ସେଲ’ ଶୀର୍ଷକ ଏକ ଭିଡିଓ ପୋଷ୍ଟ କରାଯାଇଥିଲା। ଭିଡିଓରେ ତାଇୱାନ ରାଷ୍ଟ୍ରପତି ଲାଇ ଚିଙ୍ଗ-ତେଙ୍କୁ ଏକ କାର୍ଟୁନ ଚରିତ୍ର ଭାବରେ ଦର୍ଶାଯାଇଥିଲା ଯିଏ ଜଳୁଥିବା ତାଇୱାନ ଉପରେ ଚପଷ୍ଟିକ ଧରିଛନ୍ତି। ଆନିମେସନରେ କୁହାଯାଇଥିଲା ଯେ ‘ଏହି ପରଜୀବୀ ତାଇୱାନକୁ ବିଷାକ୍ତ କରୁଛି, ଏହାକୁ ଭିତରୁ ଦୁର୍ବଳ କରୁଛି ଏବଂ ଶେଷରେ ଏହାର ବିନାଶ ଆଡ଼କୁ ନେଇଯାଉଛି।’