ତାଜମହଲର ମାଲିକ ଥିଲେ ଟ୍ରମ୍ପ୍‌: ୨୦୧୬ରେ ହୋଇଥିଲା ନିଲାମ

ଓ୍ବାଶିଂଟନ, ୨୫।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟମ୍ପ୍‌ ଦିନେ ତାଜମହଲର ମାଲିକ ଥିଲେ। ସେ ତାଙ୍କର କାସିନୋର ନାମ ତାଜମହଲ ରଖିଥିଲେ। ଭାରତୀୟ ସଂସ୍କୃତିକୁ ଭଲ ପାଉଥିବା ଟ୍ରମ୍ପ୍‌ ନିଜ କାସିନୋରେ କର୍ମଚାରୀଙ୍କୁ ଭାରତୀୟ ଏବଂ ଆରବ ପୋଷାକ ପିନ୍ଧିବାକୁ ନିର୍ଦ୍ଦେଶ ଦେଇଥିଲେ। ୧୯୯୦ ଏପ୍ରିଲ୍‌ ୨ରେ ଆମେରିକାର ନ୍ୟୁଜର୍ସି ସ୍ଥିତ ଆଟଲାଣ୍ଟିକ୍‌ ସିଟିରେ ପୃଥିବୀର ଶ୍ରେଷ୍ଠ କାସିନୋ ଖୋଲିଥିଲେ। ଏଠାରେ ପପ୍‌ଷ୍ଟାର ମାଇକେଲ ଜ୍ୟାକସନ୍‌ ମଧ୍ୟ ସଙ୍ଗୀତ ପରିବେଷଣ କରିଥିଲେ। ୨୦୦୫ରେ ତାଜମହଲ କାସିନୋରେ ବଲିଉଡ୍‌ ପୁରସ୍କାର ଉତ୍ସବ ଆୟୋଜିତ ହୋଇଥିଲା। ଏହା ଲକ୍ଷେ ୨୦ ହଜାର ବର୍ଗଫୁଟ ପରିମିତ ଅଞ୍ଚଳରେ ନିର୍ମିତ ହୋଇଥିଲା। ଏଥିରେ ୩୦୦୯ ସ୍ଲଟ୍‌ ମେସିନ ଏବଂ ୧୬୭ ଗ୍ୟାମ୍ବଲିଂ ଟେବୁଲ ଥିଲା। ଏହାର ରିସେପସନ୍‌ ବିମାନ ବନ୍ଦରର ଟିକେଟ ବୁକିଂ ଅଞ୍ଚଳଠାରୁ ମଧ୍ୟ ବଡ଼ ଥିଲା। ଏକକାଳୀନ ଏଠାରେ ୫୦୦୦ ଲୋକଙ୍କ ରହିବା ଭଳି ବ୍ୟବସ୍ଥା ଥିଲା। କାସିନୋର ଲିଫ୍ଟ ଲବିରେ ୧୨ଟି ଲିଫ୍ଟ ଥିଲା। ସମସ୍ତ ଲିଫ୍ଟ ସୁନାର ରଙ୍ଗର ଥିଲା। ଏହାର ଭିତର ଅଂଶ ୨୪ କ୍ୟାରେଟ ସୁନାପାତରେ ଆଚ୍ଛାଦିତ ହୋଇଥିଲା। ୧୯୯୮ରେ ଆମେରିକା ସରକାର ଟ୍ରମ୍ପ୍‌ଙ୍କ ଉପରେ ୩୪୨ କୋଟି ଟଙ୍କାର ଜରିମାନା ଦଣ୍ଡାଦେଶ କରିଥିଲେ। ଏହାପରେ ୨୦୧୫ରେ ପୁଣି ୭୧.୮୬ କୋଟି ଟଙ୍କାର ଜରିମାନା ଆଦେଶ ଦିଆଯାଇଥିଲା। ଟ୍ରମ୍ପ୍‌ ନିଜକୁ ଦେବାଳିଆ ଘୋଷଣା ମଧ୍ୟ କରିଥିଲେ। ଶେଷରେ ୨୦୧୬ରେ ତାଜମହଲ କାସିନୋ ନିଲାମ ହୋଇଥିଲା।

Share