ତାଜାରୁ ପଡ଼ି ଗୁରୁତର ଛାତ୍ରଙ୍କ ମୃତ୍ୟୁ

ଫୁଲବାଣୀ ଅଫିସ, ୨୫ା୯-ଟିକାବାଲି ଥାନା କୋଚିଲାଗଡ଼ସ୍ଥିତ ଅନ୍ବେଶା ହଷ୍ଟେଲରେ ଗତ ୨୧ ତାରିଖରେ ଜଣେ ୪ର୍ଥ ଶ୍ରେଣୀ ଛାତ୍ର ତାଜାରୁ ପଡ଼ି ଗୁରୁତର ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ତାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ବାବୁଲା ପ୍ରଧାନ। ୨୧ତାରିଖରେ ପିଲାମାନେ ସେବା ଇଂଲିସ ମିଡିୟମ ସ୍କୁଲରୁ ଆସି ହଷ୍ଟେଲରେ ଥିଲେ। ବାବୁଲା ତାଜାରେ ଚଢ଼ିଥିବା ବେଳେ ଖସି ପଡିବାରୁ ପିଚାରେ ଲୁହା ରଡ ପଶି ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଫୁଲବାଣୀ ଓ ପରେ ବ୍ରହ୍ମପୁର ମେଡ଼ିକାଲକୁ ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ବାବୁଲାଙ୍କ ମୃତ୍ୟୁ ହୋଇଥିବା ଅତିରିକ୍ତ ଜିଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ ସୂଚନା ଦେଇଛନ୍ତି। ହଷ୍ଟେଲ ସୁପରିଣ୍ଟେଣ୍ଡେଣ୍ଟ ଗୁରୁ ପ୍ରସାଦ କହିଛନ୍ତି, ପିଲା ଖେଳୁଥିବା ବେଳେ ବାବୁଲା ତାଜାରେ ଚଢ଼ିଥିଲେ। ଅସାବଧାନତାରୁ ତଳେ ପଡ଼ିଯିବାରୁ ମଶାରୀ ପାଇଁ ଖଟରେ ଲାଗିଥିବା ଲୁହା ରଡ ତାଙ୍କ ପିଚାରେ ପଶି ଯାଇଥିଲା। ଘଟଣାର ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲା ମଙ୍ଗଳ ଅଧିକାରୀ ଶେଷଦେବ ବେହେରା କହିଛନ୍ତି।

Share