ତାତିଲେ ମରୁଡ଼ି ବୀମା ଟଙ୍କାରୁ ବଞ୍ଚିତ ଚାଷୀ: ବ୍ୟାଙ୍କ ସମ୍ମୁଖରେ ଧାରଣାଦେବାକୁ ଚେତାବନୀ

ପରଜଙ୍ଗ, ୧୯।୭(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗସ୍ଥିତ ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା ଆନୁକୂଲ୍ୟରେ ଋଣ ନେଇଥିବା ୨୦୮ ଚାଷୀ ମରୁଡ଼ି ବୀମା ଟଙ୍କା ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ବାରମ୍ବାର ଦାବିସତ୍ତ୍ୱେ ବୀମା କମ୍ପାନୀ ସେମାନଙ୍କ କଥା ଶୁଣୁନାହିଁ। ଏହାକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଏ ନେଇ ସେମାନେ ଗୁରୁବାର ସ୍ଥାନୀୟ ବ୍ୟାଙ୍କ ଶାଖା ପରିଚାଳକଙ୍କୁ ଦାବିପତ୍ର ଦେଇଛନ୍ତି। ୭ଦିନ ମଧ୍ୟରେ ସମସ୍ୟା ସମାଧାନ ନ ହେଲେ ବ୍ୟାଙ୍କ ସମ୍ମୁଖରେ ଧାରଣାରେ ବସିବାକୁ ଚାଷୀମାନେ ଚେତାବନୀ ଦେଇଛନ୍ତି।
ଅଭିଯୋଗ ଅନୁଯାୟୀ, ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ପରଜଙ୍ଗ ଶାଖା ଅଧୀନରେ ଥିବା ୧୦ ସୋସାଇଟିର ଶତାଧିକ ଚାଷୀ ୨୦୧୭ରେ ଋଣ ନେଇଥିଲେ। ମରୁଡ଼ି ସହାୟତା ଲାଗି ସୋସାଇଟି ଜରିଆରେ ସେମାନେ ଟାଟା ଏଆଇଜି ଏବଂ ରୟାଲ୍‌ ସୁନ୍ଦରମ୍‌ ଇନ୍‌ସ୍ୟୁରାନ୍ସ କମ୍ପାନୀରେ ବୀମା କରିଥିଲେ। ସେହିବର୍ଷ ବର୍ଷା ଅଭାବରୁ ସରକାର ଅଞ୍ଚଳକୁ ମରୁଡ଼ି ଘୋଷଣା କରିଥିଲେ। ଏହାପରେ ଅଧିକାଂଶ ଚାଷୀ ବୀମା ଟଙ୍କା ପାଇଛନ୍ତି। ହେଲେ ବିଭାଗୀୟ ତ୍ରୁଟିରୁ କୁମୁସୀ ସୋସାଇଟିର ୧୨୫, ବାରିହାପୁରର ୪୫, ପରଜଙ୍ଗର ୨୦, ପଙ୍ଗୀତୀରାର ୧୪, କୁଆଳୋର ୪ ଜଣ ହିତାଧିକାରୀଙ୍କ ଲକ୍ଷାଧିକ ବୀମା ଟଙ୍କା ପଡ଼ିରହିଛି। ସମ୍ପୃକ୍ତ ଚାଷୀମାନେ ଚଳିତ ବର୍ଷ ପାଇଁ ବୀମା ଟଙ୍କା ପୈଠ କରିସାରିଥିବାବେଳେ ପୁରୁଣା ଇନ୍‌ସ୍ୟୁରାନ୍ସ ଟଙ୍କା ଏ ଯାଏ ମିଳିନାହିଁ।
ବୀମା ଟଙ୍କାରୁ ବଞ୍ଚତ୍ତ ଚାଷୀମାନେ ଏ ନେଇ ୨୦୧୮ ଡିସେମ୍ବର ୨୪ରେ ତତ୍କାଳୀନ ଜିଲାପାଳଙ୍କୁ ଭେଟି ସମସ୍ୟା ଜଣାଇଥିଲେ। ହେଲେ ଏ ଯାଏ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନ ଥିବା ମନୋଜ ଦଳବେହେରା, ସୁଶାନ୍ତ ଦଳବେହେରା, ପ୍ରତାପ ସାହୁ, କାଠି ଦାସ, ନରୋତ୍ତମ ନାୟକ, ଅଦ୍ୱୈତ୍ୟ ସାହୁ ପ୍ରମୁଖ କହିଛନ୍ତି। ୭ଦିନ ମଧ୍ୟରେ ବୀମା ଟଙ୍କା ନ ମିଳିଲେ ଶୁକ୍ରବାରଠାରୁ ବ୍ୟାଙ୍କ ସମ୍ମୁଖରେ ଧାରଣାରେ ବସିବାକୁ ଚାଷୀମାନେ ଲିଖିତ ଆକାରରେ ଜଣାଇଛନ୍ତି।
ଏ ସଂକ୍ରାନ୍ତରେ ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା ପରିଚାଳକ ବସନ୍ତ କୁମାର ପ୍ରଧାନ କୁହନ୍ତି, ବାରମ୍ବାର ଇନ୍‌ସ୍ୟୁରାନ୍ସ କମ୍ପାନୀ ଏବଂ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଚାଷୀଙ୍କ ବୀମା ଟଙ୍କା ନ ମିଳିବା ନେଇ ଅବଗତ କରାଯାଇଛି। ଏବେ ସୁଦ୍ଧା ୨୦୮ ଋଣୀ ଚାଷୀ ଟଙ୍କା ପାଇନାହାନ୍ତି। ଚାଷୀଙ୍କ ଦାବି ସମ୍ପର୍କରେ ଆଉଥରେ ଅବଗତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।